ଗଞ୍ଜମ ଜିଲ୍ଲା/ରଜନୀକାନ୍ତ ପାତ୍ର: ଦେବୀଙ୍କର ପର୍ବପର୍ବାଣି ମାନଙ୍କ ମଧ୍ୟରେ ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମି ଠାରୁ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ ଷୋହଳ ଦିନା ପର୍ବ ବିଶେଷ ପ୍ରସିଦ୍ଧ ଅଟେ । ତନ୍ମଧ୍ୟରୁ ଆଶ୍ୱିନ ଅମବାସ୍ୟା ଠାରୁ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ ଏହି ୯ ଦିନକୁ ମାତା କନକଦୁର୍ଗାଙ୍କ ନବରାତ୍ରୀ ମହୋତ୍ସୋବ ବୋଲି କୁହାଯାଏ । ହିଞ୍ଜିଳିକାଟୁ ଅଞ୍ଚଳର ବିଭିନ୍ନ ଶକ୍ତିପୀଠ ଗୁଡ଼ିକରେ ମହାଆଡମ୍ବର ଭାବରେ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଛି। ସେଇ ପରି ହିଞ୍ଜିଳିକାଟୁ ପୌରାଞ୍ଚଳ ହିଞ୍ଜିଳି ଗ୍ରାମ ସ୍ଥିତ ମା’ କନକ ଦୁର୍ଗା, ଶ୍ୟାମାକାଳୀ, ବାରାହି ପାହାଡ଼ ସ୍ଥିତ ବୈଷ୍ଣବଦେବୀ ମା’ କନକ ଦୁର୍ଗା, ସ୍ଥାନୀୟ ବ୍ଳକ ଖରିଡ଼ା ପଞ୍ଚାୟତରେ ପୂଜିତ ମା’ କରଞ୍ଜେଇ, ନୁଆଁ ବୁରୁପୋଡ଼ା ସ୍ଥିତ ମା’ ଶ୍ୟାମଳାଇ, ନନ୍ଦିକ ସ୍ଥିତ ମା’ ଗ୍ରାମଦେବତୀ ପ୍ରମୁଖ ଶକ୍ତିପୀଠ ଗୁଡ଼ିକରେ ନିରାଡ଼ମ୍ବର ଭାବେ ଷୋଡଶ ଉପଚାର ପୂଜାତ୍ସୋବ ଆରମ୍ଭ ହୋଇଛି । ଅତୀତରେ ନବରାତ୍ର ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ମା କନକ ଦୁର୍ଗା ଶକ୍ତିପୀଠ ଚଣ୍ଡିପାଠ, ହୋମଯଜ୍ଞ ତଥା ବିଶେଷ ପୂଜାର୍ଚ୍ଚନା ଚାଲୁଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିଲା । ବିଶେଷ କରି ସନ୍ଧ୍ୟା ଆଳତୀ ସମୟରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମୁଥିବାର ପରିଲିକ୍ଷିତ ହେଉଥିଲା । ଏହି ଦିନ ମାନଙ୍କରେ ମାତା କନକଦୁର୍ଗାଙ୍କୁ ଭିନ୍ନ ଭିନ୍ନ ରୂପରେ ସୁ-ସଜ୍ଜିତ କରାଯାଇଥାଏ । ମାତାଙ୍କ ଶିର ମୁକୁଟ ଠାରୁ ଆରମ୍ଭକରି ଲଲାଟ, କଣ୍ଠ, କାଟିତଟ, ବାହୁ ଏପରିକି ଚରଣଅଙ୍ଗୁଳିର ମୁଦ୍ରିକା ପର୍ଯ୍ୟନ୍ତ ବହୁ ମୂଲ୍ୟବାନ ସୁନା ଅଳଙ୍କାରରେ ବିମଣ୍ଡିତ କରାଯାଇଥାଏ । ଏହି ସୁନାବେଶକୁ ଦର୍ଶନ କରିବା ସକାଶେ ପ୍ରବଳ ଜନସମାଗମ ହୋଇଥାଏ । ଶାରଦୀୟ ପାର୍ବଣର ଶେଷ ୩ ଦିନ (୬ଷ୍ଠୀ, ୭ମୀ ଓ ୮ମୀ )ବ୍ୟାପି ମନ୍ଦିର ପୀଠରେ ଘୃତଯଜ୍ଞ ସହ ନାମଯଜ୍ଞ ଓ ଭଜନ ଆୟୋଜନ କରାଯାଇଥାଏ । ମାତା କନକଦୁର୍ଗାଙ୍କୁ ପରମବୈଷ୍ଣବୀ ରୂପରେ ଗ୍ରହଣ କରାଯାଇ ପତିଦିନ ସାତ୍ୱିକ ବ୍ୟଞ୍ଜନ ହିଁ ଭୋଗଲାଗି କରାଯାଇଥାଏ । ବିଶେଷକରି ଖିରି ଓ କାକରାପିଠା ଅତି ଶୁଦ୍ଧପୁତ ଭାବରେ ପ୍ରସ୍ତୁତ କରି ମାଆଙ୍କୁ ଅର୍ପଣ କରାଯାଇଥାଏ ।