ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏବେବି ସଂସ୍କାର ହୋଇନି ଅନେକ ଶବ । ତେବେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ୨୮ ଟି ମୃତ ଦେହକୁ ଅନ୍ତିମ ସଂସ୍କାର କରାଯିବ । ଏହି ମୃତ ଦେହକୁ ହସ୍ତାନ୍ତର କରିବା ପାଇଁ ଭୁବନେଶ୍ୱରର ଏମସ ମେଡିକାଲ ତରଫରୁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଥମ ପ୍ରର୍ଯ୍ୟାୟରେ ୩ଟି ମୃତ ଦେହକୁ ହସ୍ତାନ୍ତର କରାଯାଇଥିବା ବେଳେ ବାକି ଥିବା ମୃତ ଦେହର ହସ୍ତାନ୍ତର ପ୍ରକ୍ରିୟା ଯାରି ରହିଛି । ବିଏମସି, ପୂର୍ବତଟ ରେଳପଥ ଓ ସିବିଆଇ ଉପସ୍ଥିତିରେ ମୃତଦେହକୁ ଡିସପୋଜ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଡିସପୋଜ୍ ପ୍ରକ୍ରିୟା ପରେ ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯିବ। ଆଉ ଏସବୁ ମୃତଦେହର ଶେଷକୃତ୍ୟ ସତ୍ୟନଗର ଓ ଭରତପୁର ଶ୍ମଶାନରେ କରାଯିବ। ପ୍ରାୟ ୪ମାସ ହେଲା ମୃତଦେହ ଗୁଡ଼ିକକୁ ଫ୍ରିଜରେ ରଖାଯାଇଛି। ଟ୍ରେନ୍ ଦୁର୍ଘଟଣା ଭଳି ଅଘଟଣରେ ପ୍ରାଣ ହରାଇଥିବା ସମସ୍ତ ଯାତ୍ରୀଙ୍କ ଶବ ତାଙ୍କ ସମ୍ପର୍କୀୟଙ୍କୁ ଫେରାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ଭରପୁର ଚେଷ୍ଟା କରାଯାଇଥିଲା। ହେଲେ, କିଛି କ୍ଷେତ୍ରରେ ତାହା ସମ୍ଭବ ନହେବାରୁ ଅନ୍ତିମ ସଂସ୍କାର କରିବା ପାଇଁ ନିଷ୍ପତି ହୋଇଛି।