ମାଲକାନଗିରି :ସଚେତନତା ଓ ସତର୍କତା ଦ୍ୱାରା ହିଁ ସାଇବର ଅପରାଧକୁ ରୋକିହେବ । ଏହି ବାର୍ତ୍ତାଟି ରାଜ୍ୟର ଘରେ ଘରେ ଏବଂ ପ୍ରତିଟି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ସାଇବର ସୁରକ୍ଷା ରଥ ନିଜର ଅଭିଯାନ ଜାରି ରଖୁଛି । ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ ଠାରେ ସାଇବର ସୁରକ୍ଷା ରଥ ର ଶୁଭାରମ୍ଭ କରାଯାଇଛି। ଗାଁ ଠାରୁ ଆରମ୍ଭ କରି ସହର, ବଜାର, ହାଟ, କଲେଜ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ସାଇବର ଠକେଇ ସମ୍ପର୍କରେ ଥାନା ଅଧିକାରୀ ଙ୍କ ସହ ସମସ୍ତ କର୍ମଚାରୀ ମାନେ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି ।ବିଭିନ୍ନ କଲେଜ ତଥା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ କୁଇଜ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିଛନ୍ତି । ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ ମଧ୍ଯ କରାଯାଉଛି । ଏହା ସହ ଏମ ଭି ୭୯ ମାର୍କେଟ ଠାରେ ଜନସଚେତନତା ମୂଳକ ନାଟକ, ଲୋକନୃତ୍ୟ ପରିବେଷଣ ସହ କୁନିକୁନି ପିଲାଙ୍କ ଦ୍ବାରା ସଙ୍ଗୀତ ପରିବେଷଣର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି ।ଯାହାକି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବେଶ ଆଦୃତ ହେଉଛି । ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ “ସାଇରା” ସହ ସେଲଫି ଓ ଫଟୋ ଉଠାଇବାକୁ ନେଇ ସେମାନଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଥିବାବେଳେ “ସାଇରା” ସଚେତନତା ଧର୍ମୀ ଲିଫଲେଟ ଲୋକମାନଙ୍କୁ ବାଣ୍ଟି ସଚେତନ କରିବା ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଛି ।