ଭାଦ୍ରବ ଶୁକ୍ଳ ଚତୁର୍ଥୀ ହେଉଛି ବିଘ୍ନରାଜ ଶ୍ରୀଗଣେଶଙ୍କ ପବିତ୍ର ଜନ୍ନ ତିଥି । ଏହା ‘ଗଣେଶ ଚତୁର୍ଥୀ’ ବା ‘ବିନାୟକ’ ଚତୁର୍ଥୀ ନାମରେ ସର୍ବତ୍ର ଖ୍ୟାତ । ସନାତନ ସଂସ୍କୃତି, ପୁରାଣ ଏବଂ ଶାସ୍ତ୍ରମାନଙ୍କରେ ଯେଉଁ ସବୁ ଦେବଦେବୀମାନଙ୍କ ବର୍ଣ୍ଣନା ଅଛି, ସେମାନଙ୍କ ମଧ୍ୟରେ ଗଣେଶଙ୍କ ମାହାତ୍ମ୍ୟ ସର୍ବାଧିକ। ଯେକୌଣସି ଦେବଦେବୀଙ୍କ ପୂଜା ବା ଉତ୍ସବ, ଅନ୍ୟ କୌଣସି ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟ, ଗଣେଶଙ୍କ ପୂଜା ବ୍ୟତୀତ ଆରମ୍ଭ କରାଯାଏ ନାହିଁ। ତେଣୁ ସମସ୍ତ କାର୍ଯ୍ୟରେ ସେ ଅଗ୍ରପୂଜ୍ୟ। ବିଘ୍ନରାଜ ବା ବିଘ୍ନେଶ ହୋଇଥିବାରୁ ଗଣେଶଙ୍କୁ ପୂଜା କରି ଯେକୌଣସି କାର୍ଯ୍ୟର ଶୁଭାରମ୍ଭ କଲେ ତାହା ନିର୍ବିଘ୍ନରେ ସମାପ୍ତ ହୋଇଥାଏ। ସେ ସିଦ୍ଧି, ବୁଦ୍ଧି ଏବଂ ସମୃଦ୍ଧି ଦାତା; ସେ ପୁଣି କଳା, ବିଜ୍ଞାନ, ବିଦ୍ୟା ଏବଂ ଜ୍ଞାନର ଦେବତା। ତେଣୁ କବି, ଲେଖକ, ଶିଳ୍ପୀ, ବ୍ୟବସାୟୀ ସମସ୍ତେ କାର୍ଯ୍ୟସିଦ୍ଧି ପାଇଁ ପ୍ରଥମେ ଗଣେଶଙ୍କ ଶରଣାପନ୍ନ ହୋଇଥାନ୍ତି। ବିନାୟକ ବ୍ରତ ପାଳନ କଲେ ସମସ୍ତ କାର୍ଯ୍ୟସିଦ୍ଧି ଏବଂ ଅର୍ଥପ୍ରାପ୍ତି , ସୁତ-ସୌଭାଗ୍ୟ -ସମ୍ପଦ ଲାଭ ହୁଏ ବୋଲି ପୁରାଣରେ ବର୍ଣ୍ଣିତ ଅଛି।
ଭଗବାନ ଗଣେଶଙ୍କ ସ୍ୱରୂପ ଅବ୍ୟକ୍ତ ,ଅଚିନ୍ତ୍ୟ ଓ ଅପାର, ଅବ୍ୟୟ, ଅବିନାଶୀ। ସେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣକାରୀ, ଜଗତକାରଣ, ଅଚ୍ୟୁତ ତଥା ପ୍ରକୃତି ଏବଂ ପୁରୁଷଠାରୁ ବହୁ ଊର୍ଦ୍ଧ୍ୱରେ। ତାଙ୍କର ମୁଖଶ୍ରୀ ହସ୍ତୀର ମୁଖ ସମାନ ବହୁତ ଲାବଣ୍ୟମୟ। ତାଙ୍କ ଭାଲଦେଶରେ ବାଳଚନ୍ଦ୍ର ଶୋଭା ପାଇଥାନ୍ତି। ସେ ଏକଦନ୍ତ, ଦୀର୍ଘନୟନଯୁକ୍ତ, ଶୂର୍ପକର୍ଣ୍ଣ, ଲମ୍ବୋଦର ଏବଂ ଚତୁର୍ଭୁଜ ଅଟନ୍ତି। ପୁଣି ସେ କେବେ କେବେ ଦ୍ବିଭୁଜ, ଷଡ଼ଭୁଜ ତଥା ଅଷ୍ଟଭୁଜ ସ୍ୱରୂପ ମଧ୍ୟ ହୋଇଥାନ୍ତି। ତାଙ୍କ ଶରୀରର ବର୍ଣ୍ଣ ଅରୁଣୋଦୟ କାଳୀନ ସୂର୍ଯ୍ୟରଙ୍ଗ ସମାନ ଅଟେ। ପୁନଶ୍ଚ କେତେକ ଶାସ୍ତ୍ରରେ ତାଙ୍କୁ ଶ୍ୱେତବର୍ଣ୍ଣ ତ କେଉଁଠି ସ୍ୱର୍ଣ୍ଣ ପିଙ୍ଗଳବର୍ଣ୍ଣ ବୋଲି ଅଭିହିତ କରାଯାଇଛି। ତାଙ୍କର ମସ୍ତକ ସିନ୍ଦୂର ସୁଶୋଭିତ, ଗଳାରେ ମୋତିର ମାଳା, ବାହୁରେ ବହୁମୂଲ୍ୟ ରତ୍ନ ଖଚିତ ବାଜୁବନ୍ଧ, ଆଙ୍ଗୁଳିରେ ମର୍କତ ମଣି ଜଟିତ ମୁଦ୍ରିକା;ଚାରିହସ୍ତରେ ପାଶ, ଅଙ୍କୁଶ, ଅଭୟ ଓ ବରଦ ମୁଦ୍ରା ଧାରଣ କରିଥାନ୍ତି । ସେ ପୁଣି ଧାରଣ କରିଥାନ୍ତି ମୌଞ୍ଜିମେଖଳା, କୃଷ୍ଣମୃଗ ଚର୍ମ ତଥା ନାଗ ଯଜ୍ଞୋପବୀତ ଭାବରେ।ଶ୍ରୀତତ୍ତ୍ୱନିଧି, ମନ୍ତ୍ରମହୋଦଧି, ମନ୍ତ୍ରରତ୍ନାକର,ଶିଳ୍ପରତ୍ନ, ମହମହାର୍ଣ୍ଣବ ଆଦି ଗ୍ରନ୍ଥରେ ଭଗବାନ ଗଣେଶଙ୍କ ବିଭିନ୍ନ ରୂପର ବର୍ଣ୍ଣନା ଦେଖିବାକୁ ମିଳେ। ଶ୍ରୀଗଣେଶଙ୍କର ଅନେକ ନାମ ଅଛି; ସେଥିମଧ୍ୟରୁ ବାରଗୋଟି ନାମ ଅତ୍ୟନ୍ତ ପ୍ରସିଦ୍ଧ ଅଟେ। ସେଗୁଡିକ ହେଲା ,ସୁମୁଖ, ଏକଦନ୍ତ, କପିଳ, ଗଜକର୍ଣ୍ଣକ, ଲମ୍ବୋଦର, ବିକଟ, ବିଘ୍ନନାଶନ, ବିନାୟକ, ଧୂମ୍ରକେତୁ, ଗଣାଧ୍ୟକ୍ଷ, ଭାଲଚନ୍ଦ୍ର ଏବଂ ଗଜାନନ।