ପୁରୀ / ସଞ୍ଜୟ ମହାପାତ୍ର: ଆଜି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁରବଧ ବେଶ ଅନୁଷ୍ଠିତ ହେବ । ଭାଦ୍ରବ କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ପ୍ରଭୁ ବଳଭଦ୍ର ଦେବଙ୍କର ଏକ ହସ୍ତରେ ହଳ ଓ ଅନ୍ୟ ହାତରେ ମୂଷଳ ଶୋଭାପାଏ । ପ୍ରୟ ୪ ଫୁଟ ଉଚ୍ଚତାର ଏକ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନସିଂହାସନସ୍ଥ ବଳଭଦ୍ର ଦେବଙ୍କ ନିମ୍ନ ଭାଗରେ ରଖାଯାଏ । ଅସୁରର ସ୍କନ୍ଧ ଏବଂ ଭୁଜରେ ବଳଭଦ୍ର ବସିଥିବା ଭଳି ଦୃଶ୍ଯ ବେଶରେ ସ୍ପଷ୍ଟ ହୋଇଥାଏ | ଏହି ବେଶ ମଧ୍ୟାହ୍ନଧୂପ ପରେ ଅନୁଷ୍ଠିତ ହୋଇ ସନ୍ଧ୍ୟାଧୂପ ସରିବାଯାଏଁ ରହିଥାଏ । ତେବେ ଗତକାଲି ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହୋଇଛି । ଶନିବାର ଠାକୁରଙ୍କ ବଣଭୋଜି ବେଶ, କୋଳିବିକା, ବକାସୁର ଓ ଅର୍ଘ୍ୟଆସୁର ବଧ ନିତି ଅନୁଷ୍ଠିତ ହୋଇଥିଲା | ମହାପ୍ରଭୁ ବାଳଗୋପାଳ ଓ ବଡ଼ଠାକୁର ବଳରାମ ବେଶ ହୋଇଥିଲେ । କିନ୍ତୁ ଗତକାଲି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ଶ୍ରୀମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ । ପରେ ଠାକୁର ମାନେ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଲୋକନାଥ ରୋଡ୍ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରିଥିଲେ । ସେଠାରେ ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀଠାରେ ମହାପ୍ରଭୁଙ୍କ କାଳୀୟଦଳନ ଲୀଳା ସମାପନ ହୋଇଥିଲା। ପରେ ଶୀତଳ ଭୋଗ ଓ ବନ୍ଦାପନା ହୋଇ ମହାପ୍ରଭୁ ବାହୁଡା ବିଜେ କରିବା ପରେ ଜୟବିଜୟ ଦ୍ୱାର ଠାରେ ଏକାଦଶୀ ଭୋଗ ଓ ବନ୍ଦାପନା ନୀତି ବଢିବା ପରେ ଠାକୁର ଦକ୍ଷିଣୀ ଘରକୁ ବିଜେ କରିଥିଲେ। ଏହାପରେ ଅନ୍ୟାନ୍ୟ ନୀତି ବଢିବା ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସଜ୍ଜିତ କରାଯାଇଥିଲା। ସେପଟେ ଗତକାଲି କାଳୀୟ ଦଳନ ଏକାଦଶୀ ଥିବାରୁ ଅଁଳାବେଢାକୁ ଉଠିଥିଲା ମହାଦୀପ। ଜଗତକଲ୍ଯାଣ ଉଦ୍ଦେଶ୍ୟରେ ଚୁନରା ସେବକ ମାନେ ନିଷ୍ଠାର ସହ ଏହି ନିତି ସମ୍ପର୍ଣ୍ଣ କରିଥିଲେ। ତେବେ ମହାପ୍ରଭୁଙ୍କର ଅନେକ ନିତି ଥିବାରୁ ରାତି ୩ଟା ୫୫ମିନିଟରେ ପହୁଡ ହୋଇଥିଲେ ମହାପ୍ରଭୁ। ଆଜି ସକାଳ ୬ଟା ୨୧ ମିନିଟରେ ଦ୍ୱାର ଫିଟିଥିଲେ ମଧ୍ୟ ଭକ୍ତମାନଙ୍କ ଦର୍ଶନ ବହୁ ବିଳମ୍ବରେ ଆରମ୍ଭ ହୋଇଥିଲା। ଏଣୁ ହଜାର ହଜାର ଭକ୍ତ ଶ୍ରୀମନ୍ଦିର କାର୍ଯ୍ଯାଳୟ ନିକଟରୁ ଲମ୍ବା ଲାଇନ ଲାଗିଥିଲେ। ଘଣ୍ଟାଘଣ୍ଟା ଧରି ଧାଡିରେ ଅପେକ୍ଷା କରିଥିଲେ ଭକ୍ତ ଓ ଦର୍ଶନାର୍ଥି। ସେପଟେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଦ୍ଧ ବେଶ ଅନୁଷ୍ଠିତ ହେବ।