ନେପାଳ ହେଲିକପ୍ଟର ନିଖୋଜ ଘଟଣା: ହେଲିକପ୍ଟର ଧ୍ୱଂସାବଶେଷ ଠାବ, ୬ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

କାଠମାଣ୍ଡୁ:   ନେପାଳରେ ଦୁର୍ଘଟଣା ଘଟିଥିବା ହେଲିକପ୍ଟରର ଧ୍ୱଂସାବଶେଷ ଠାବହେବା ସହ ସମସ୍ତ ୬ଜଣ ଯାତ୍ରୀଙ୍କର ମୃତଦେହ ମଧ୍ୟ ମିଳିଛି। ମଙ୍ଗଳବାର ସକାଳେ ହେଲିକପ୍ଟରଟି କଣ୍ଟ୍ରୋଲରୁମ ସହ ସମ୍ପର୍କ ବିଛିନ୍ନ ହେବା ପରେ ଏହା ନିଖୋଜ ହୋଇଯାଇଥିଲା ।

ଲିଖୁ ପିକେ ଭିଲେଜ କାଉନସିଲ ନିକଟରୁ ମିଳିଛି ଭଗ୍ନାବଶେଷ। ପାହାଡ଼ ଶିଖରରେ ଏକ ଗଛ ସହ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ମନାଙ୍ଗ ଏୟାର ହେଲିକପ୍ଟରଟି କାଠମାଣ୍ଡୁରୁ ସୋଲୁଖୁମ୍ବ ଯାଉଥିଲା। ଏଥିରେ କ୍ୟାପଟେନଙ୍କ ସହ ୫ ବିଦେଶୀ ପର୍ୟ୍ୟଟକ ଥିଲେ। ନେପାଳର ଏଭରେଷ୍ଟ ଶୃଙ୍ଗ ନିକଟରେ ହେଲିକପ୍ଟର ନିଖୋଜ ହୋଇଯାଇଥିଲା। ସୋଲୁଖୁମ୍ବ ଜିଲ୍ଲାର ଲିଖୁ ପିକେ ରୁଲା ମ୍ୟୁନିସିପାଲିଟି ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅନୁସନ୍ଧାନକାରୀ ଟିମ୍ ଚପରର ଭଗ୍ନାବଶେଷ ଠାବ କରିଥିବା ବେଳେ ୬ ମୃତଦେହ ଉଦ୍ଧାର କରାଯାଇଛି।

ହେଲିକପ୍ଚରରେ ଯାଉଥିବା ବିଦେଶୀ ପର୍ୟ୍ୟଟକମାନେ ମେକ୍ସିକୋ ନାଗରିକ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ଗତ ଜାନୁଆରୀରେ ନେପାଳରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଥିଲା। ଲ୍ୟାଣ୍ଡ ହେବାର କିଛି ସମୟ ପୂର୍ବରୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୭୦ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା।