କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହିତ ରତ୍ନଭଣ୍ଡାରର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଛି । ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାକୁ ବିଚାର ପାଇଁ ଗ୍ରହଣ କରି ଏହି ନୋଟିସ ଜାରି କରିଛନ୍ତି । ଅଗଷ୍ଟ ୭ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ କରିବା ସହିତ ସମସ୍ତ ପ୍ରତିପକ୍ଷ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରତ୍ନଭଣ୍ଡାର ଖୋଲି ତାର ବିପଦଶଙ୍କୁଳ ଅଂଶ ମରାମତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଏହି ଆବେଦନରେ ପ୍ରାର୍ଥନା କରାଯାଇଛି । ପୂର୍ବତନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଢାଞ୍ଚାରେ ରାଜ୍ୟପାଳ କିମ୍ବା ଜଣେ କାର୍ୟ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରାଯାଇ ରତ୍ନ ଅଳଙ୍କାର ତାଲିକା ପ୍ରସ୍ତୁତ କରିବା ପାଇଁ ପିଟିସନରେ ପ୍ରାର୍ଥନା ହୋଇଛି । ରତ୍ନଭଣ୍ଡାରର ଚାବି ହଜାଇଥିବା ଦାୟୀ ପୁରୀ ଜିଲ୍ଲାପାଳ କିମ୍ବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରି ସିବିଆଇ ଦ୍ଵାରା ତଦନ୍ତ କରିବା ପାଇଁ ମଧ୍ୟ ଆବେଦନ କରାଯାଇଛି ।