କେନ୍ଦ୍ରାପଡା : କୁମ୍ଭୀର ନେଲା ଆଉ ଏକ ଜୀବନ । କେନ୍ଦ୍ରାପଡା ରାଜନଗର ହାତିଆଗଡି ଗାଁରେ ମହିଳାଙ୍କୁ ଟାଣି ନେଇଯାଇଥିଲା କୁମ୍ଭୀର । ବହୁ ସମୟ ଖୋଜାଖୋଜି ପରେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଛି । ମହିଳା ଜଣଙ୍କ ପୋଖରିରେ ବାସନ ମାଜୁଥିବା ବେଳେ ଟାଣି ନେଇଯାଇଥିଲା କୁମ୍ଭୀର । ଦଳ ଭର୍ତ୍ତି ପାଣି ଭିତରୁ ମିଳିଛି ମହିଳାଙ୍କ ମୃତଦେହ । ମହିଳା ଜଣଙ୍କ ହାତିଆଗଡି ଗାଁର ସୀତାରାଣୀ ଦାସ ବୋଲି ଜଣାପଡିଛି । ଗତ କାଲି ଦିନ ଦୁଇଟାବେଳେ ସୀତାରାଣୀ ତାଙ୍କ ବାଡି ପଛପଟ ପୋଖରିରେ ବାସନ ମଜୁଥିବା ସମୟରେ ଏକ କୁମ୍ଭୀର ଟାଣି ନେଇଯାଇଥିଲା । କୁମ୍ଭୀର ଟି ମହିଳା ଜଣଙ୍କୁ ନେଇ ଚଡଦିଆ କେନାଲ ପାଖରେ ରଖିଥିଲା । ରାଜନଗର ବନବିଭାଗ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ।
ମହିଳାଙ୍କୁ କୁମ୍ଭୀର ଟାଣି ନେବା ଘଟଣାରେ ସ୍ଥାନିୟ ଲୋକ ମାନେ ରାଜନଗର ଭିତରକନିକା ରାସ୍ତା ହାତିଆଗଡି ନିକଟରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି । ପରେ ଉକ୍ତ ସ୍ଥାନରେ ତହସିଲଦାର ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଛନ୍ତି । ଚଳିତ ମାସରେ କୁମ୍ଭୀର ଦୁଇଟି ଜୀବନ ନେଲାଣି । ଗତ ୧୪ ତାରିଖରେ ନିମପୁର ଗାଁରେ ଏକ ନାବାଳକର ମଧ୍ୟ ଜୀବନ ନେଇଥିଲା କୁମ୍ଭୀର ।