ସମ୍ବଲପୁର: ସମ୍ବଲପୁରରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା । ଦୀର୍ଘ ୧୦ ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଛି। ଆଜି ସକାଳ ୬ଟାରୁ ମୋବାଇଲରେ ଇଣ୍ଟରନେଟ୍ ସେବା କାର୍ୟ୍ୟକ୍ଷମ ହୋଇଥିବା ଜଣାଯାଇଛି। ଏହାଫଳରେ ଲୋକଙ୍କ ଭିତରେ ଆନନ୍ଦର ଲହରୀ ଖେଳିଯାଇଛି। ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ମୋବାଇଲ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ ବୋଲି କହିଥିଲେ ଜିଲ୍ଲାପାଳ ଅନନ୍ୟା ଦାସ। ସେ କହିଥିଲେ, ସନ୍ଧ୍ୟା ୬ଟାରେ ମୋବାଇଲରେ ଇଣ୍ଟରନେଟ୍ ଆସିବ। ୯ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହେବ। କିନ୍ତୁ ପୁଣି ପରେ ଏହି କଟକଣାକୁ ସକାଳ ୬ଟା ଯାଏ ବଳବତ୍ତର ରଖାଯାଇଥିଲା। ୧୩ ତାରିଖରୁ ଜିଲ୍ଲାରେ ଇଣ୍ଟନେଟ୍ ସେବା ବନ୍ଦ କରାଯାଇଥିଲା । ତେବେ ଗତ ଶୁକ୍ରବାରଠାରୁ ସରକାର ସମସ୍ତ ଲିଜ୍ଲାଇନ୍ ଓ ବ୍ରଡ୍ବ୍ୟାଣ୍ଡ ଇଣ୍ଟର୍ନେଟ୍ ସେବାକୁ କଟକଣା ମୁକ୍ତ କରି ଦେଇଥିଲେ। ଅର୍ଥାତ୍ ଲିଜ୍ଲାଇନ୍ ଓ ବ୍ରଡ୍ବ୍ୟାଣ୍ଡ ସଂଯୋଗ ଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶୁକ୍ରବାରଠାରୁ ୨୪ ଘଣ୍ଟିଆ ଇଣ୍ଟର୍ନେଟ୍ ପାଇଥିଲେ। ହେଲେ ମୋବାଇଲ୍ ଇଣ୍ଟର୍ନେଟ୍ ବନ୍ଦ ରହିଥିଲା।