କେନ୍ଦୁପତ୍ର ଟଙ୍କା ହଡପ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ୨ ବନ କର୍ମଚାରୀ

ମାଲକାନଗିରି : କେନ୍ଦୁପତ୍ର ଟଙ୍କା ହଡପ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ମାଲକାନଗିରି ଜିଲ୍ଲାର ୨ ବନ କର୍ମଚାରୀ । ବାଲିମେଳା ଫରେଷ୍ଟର ଦୁର୍ଗା ପ୍ରସାଦ ନାୟକ ଓ କୁଡୁମୁଳଗୁମ୍ମା ଫରେଷ୍ଟଗାର୍ଡ ପଦ୍ମିନୀ ପଟ୍ଟନାୟକ ନିଲମ୍ବିତ ହୋଇଛନ୍ତି । ଉଭୟଙ୍କୁ ନିଲମ୍ବନ କରିଛନ୍ତି ଜୟପୁର ବନଖଣ୍ଡ ଅଧିକାରୀ । ସୂଚନା ଅନୂଯାୟୀ ବାଲିମେଳା ବନଖଣ୍ଡ ଅଧିନସ୍ଥ କୁଡୁମୁଲୁଗୁମ୍ମା ପଞ୍ଚାୟତରେ ଗତ ବର୍ଷ ୮ ଜଣ ଆଦିବାସୀ କେନ୍ଦୁପତ୍ର ତୋଳାଳିଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ପରିବାରକୁ ସରକାର କ୍ଷତି ପୂରଣ ବାବଦରେ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ରାଶି ଘୋଷଣା କରିଥିଲେ । ହେଲେ ପ୍ରତି ପରିବାର ଠାରୁ ୪୦ ହଜାର ଟଙ୍କା ଲେଖାଏଁ ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ରେଞ୍ଜର ଦୁର୍ଗା ପ୍ରସାଦ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଏନେଇ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଘଟଣାରେ ୨ ବନ କର୍ମଚାରୀଙ୍କୁ ଜୟପୁର ବନଖଣ୍ଡ ଅଧିକାରୀ ନିଲମ୍ବିତ କରିଛନ୍ତି ।