ଭୁବନେଶ୍ୱର : ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ । ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା । ଓଡ଼ିଶାରେ ଉପରମୁହାଁ ହେବ ପାରଦ । ଏଭଳି କିଛି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ । ମାର୍ଚ୍ଚରୁ ମେ ମାସ ଯାଏ ତାପମାତ୍ରା ସ୍ୱାଭାବିକ ଠାରୁ ବେଶ୍ ଅଧିକ ରହିବ ବୋଲି ସୂଚନା ଦେଇଛନ୍ତି । ଆଗାମୀ ୪ଦିନ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାରେ ତାତି ଅସମ୍ଭାଳ ହେବ। ବିଶେଷ କରି ଚଳିତ ସପ୍ତାହରେ ଅଧିକାଂଶ ଅଞ୍ଚଳରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବ।
ରାଜଧାନୀ ଭୁବନେଶ୍ବର ସମେତ ଅନୁଗୁଳ, ସୋନୁପୁର, ବୌଦ୍ଧ, ଟିଟିଲାଗଡ, ବଲାଙ୍ଗୀର, ସମ୍ବଲପୁର, ତାଳଚେର, ଚାନ୍ଦବାଲି, ମାଲକାନଗିରିରେ ତାପମାତ୍ରା ୩୮ ରୁ ୪୨ ଡିଗ୍ରୀ ପର୍ୟ୍ୟନ୍ତ ଛୁଇଁପାରେ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଏବଂ ରେଡ ଆଲର୍ଟ ଜାରି କରିଛି ଆଇଏମଡି। କିଛି ମାସ ହେବ ରାଜ୍ୟରେ ବର୍ଷା ହୋଇନଥିବାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାିବାର ଆଶଙ୍କା ରହିଛି । ଏହା ସହ ଏହି ବର୍ଷ ପଶ୍ଚିମା ଝଡର ପ୍ରଭାବ ନଥିବାରୁ ଗତ ନଭେମ୍ବର ମାସରୁ ରାଜ୍ୟରେ ବର୍ଷା ହୋଇନାହିଁ । ସେହି କାରଣରୁ ତାପମାତ୍ରା ବଢିବା ସହ ଫେବ୍ରୁଆରୀ ମାସରୁ ଝାଞ୍ଜି ପବନ ବହିବା ଆରମ୍ଭ କରିଛି । ଏହି କାରଣରୁ ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।