ସଭାପତି ପଦକୁ ରାହୁଲ ଗାନ୍ଧୀଙ୍କ ନାପସନ୍ଦ

ମାସକ ଲାଗି କଂଗ୍ରେସ ସଭାପତି ନିର୍ବାଚନ ସ୍ଥଗିତ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ପାଇଁ ଅନୁଷ୍ଠିତ ନିର୍ବାଚନକୁ ମାସକ ଲାଗି ସ୍ଥଗିତ ରଖାଯାଇଛି। ଦଳୀୟ ସୂଚନା ଅନୁସାରେ ରାହୁଲ ଗାନ୍ଧୀ ସଭାପତି ଲାଗି ରାଜି ନହେବାରୁ ବର୍ତ୍ତମାନ ଏପରି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଅକ୍ଟୋବର ୨୪ ସୁଦ୍ଧା ଏହି ପଦବୀ ପାଇଁ ନିର୍ବାଚନ ହେବ ବୋଲି ଜଣାପଡିଛି। ସଭାପତି ନିର୍ବାଚନ ଲାଗି ଅଗଷ୍ଟ ୨୮ରେ କଂଗ୍ରେସର କାର୍ଯ୍ୟକାରୀ କମିଟିର ଏକ ବୈଠକ ଡକାଯାଇଛି। ବୈଠକ ପରେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ। ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ ମଧୁସୂଦନ ମିଷ୍ଟ୍ରି ନିର୍ବାଚନ ପାଇଁ ମତ ଉପସ୍ଥାପନ କରିବେ, ସିଡବ୍ଲ୍ୟୁସି ଦ୍ୱାରା ମୋହର ଲାଗିବ। ଏହା ପରେ ତାରିଖ ଘୋଷଣା କରାଯିବ। ପୂର୍ବରୁ ସିଡବ୍ଲୁସି ସେପ୍ଟେମ୍ବର ୨୧ ତାରିଖକୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାର ଶେଷ ତାରିଖ ଭାବରେ ଗ୍ରହଣ କରାଯାଇଥିଲା। ଗତ ୨୦୧୯ ସାଧାରଣ ନିର୍ବାଚନର କଂଗ୍ରେସ ଶୋଚନୀୟ ଭାବେ ପରାଜୟ ବରଣ କରିବାରୁ ସେ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ପୁଣି ଥରେ ସୋନିଆ ଗାନ୍ଧୀ ଅନ୍ତରୀଣ ସଭାପତି ଭାବରେ ଦାୟିତ୍ୱ ନେଇଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହୁନଥିବାରୁ ସେ ସଭାପତି ପଦ ଛାଡିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। କାରଣ ସଭାପତି ଭାବେ କାର୍ଯ୍ୟ କରିବାକୁ ସେ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି। ସିଡବ୍ଲୁସି ବୈଠକ ପରେ କଂଗ୍ରେସ ସଭାପତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। ତା ପରେ ନାମାଙ୍କନ ପତ୍ର ପ୍ରଦାନ କରାଯିବ। ତେବେ ସଭାପତି ପଦ ଲାଗି କିଏ ନାମାଙ୍କନ ଦାଖଲ କରୁଛନ୍ତି ତାହା ଜଣାପଡିବ। ତେବେ ଅଣ ଗାନ୍ଧୀ ପରିବାରରୁ ଅଶୋକ ଗେହଲଟଙ୍କ ନାମ କଂଗ୍ରେସ ସଭାପତି ପଦ ଲାଗି ଚର୍ଚ୍ଚାରେ ରହିଛି। ସେ ବର୍ତ୍ତମାନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଏହି ଚର୍ଚ୍ଚାକୁ ଶ୍ରୀ ଗେହଲଟ ଅସ୍ୱୀକାର କରିଛନ୍ତି।