ମରିଗଲା ମାନବିକତା

ଜାତିଭେଦ ଲାଗି କାନ୍ଧ ଦେଲେନି ସାହିଭାଇ

କୋରାପୁଟ: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ। ଯାହାର କରୁଣ ପରିଣତି ଏକ ପରିବାରକୁ ଭୋଗିବାକୁ ପଡିଛି। ଛୁଆଁ ଛୁଆଁ ଭେଦ ଭାବ ଯୋଗୁଁ ମଣିଷ ପାଖରୁ ମାନବିକତା ହଜିଯାଇଛି। ଅନ୍ୟ ଜାତିର ଘରେ ଖାଇ ଦେବାରୁ ତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ବାସନ୍ଦ କରାଯାଇଥିଲା। ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବୈରାଗୀମଠ ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି। ଗତ ୬ ମାସ ତଳେ ମୃତକ ବୃଦ୍ଧା ମୁକ୍ତା ପରଜାଙ୍କ ପୁଅ ମଙ୍ଗଳା ପରଜା ଅନ୍ୟ ଜାତିର ଘରେ ଖାଇଦେଇଥିଲେ। ଫଳରେ ଗ୍ରାମବାସୀମାନେ ମଙ୍ଗଳାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିଲା। ମଙ୍ଗଳାଙ୍କ ପରିବାରକୁ ଭୋଜିଭାତ ସମେତ କୌଣସି ସାମାଜିକ କାର୍ଯ୍ୟକ୍ରମରେ ସାମିଲ କରାଉନଥିଲେ। ତେବେ ମଙ୍ଗଳାଙ୍କ ମାଆ ମୁକ୍ତାଙ୍କ ମୃତ୍ୟୁ ଘଟିବାରୁ ସାହିଭାଇମାନେ ଶବକୁ ଛୁଇଁ ନଥିଲେ। ଫଳରେ ମୁକ୍ତାଙ୍କ ଶବକୁ ଚାରି କାନ୍ଧ ମିଳିନଥିଲା। ଫଳରେ ମଙ୍ଗଳା ନିଜ ସ୍ତ୍ରୀ କୁନି ସହିତ ମାଆର ଶବକୁ ଘୋଷାଡି ଘୋଷାଡି ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ। ତେବେ ବୋହୂ କୁନି କୋକେଇକୁ ଧରି ପାରୁନଥିଲେ। ଫଳରେ ଶବଟି ରାସ୍ତାରେ ବହୁବାର ପଡୁଥିବାର ଦେଖିବାକୁ ମିଳିଥିଲା। ବର୍ତ୍ତମାନର ଡିଜିଟାଲ ଯୁଗରେ ବି ସମ୍ପୃକ୍ତ ଗ୍ରାମବାସୀ ଅନ୍ଧ ବିଶ୍ୱାସକୁ ଏବେ ବି ଜାବୁଡି ଧରିଛନ୍ତି। ଯହାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।