ଭୁବନେଶ୍ୱର: କିସରେ ୨୫୦ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏନଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ କିଟ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଓଡି଼ଶାରେ ଥିବା କିସର ପାଞ୍ଚଟି ଶାଖାରେ ଏମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସରକାରୀ ଶିକ୍ଷକଙ୍କ ଭଳି ଇପିଏଫଓ, ମେଡିକ୍ଲେମ, ଇଏସଆଇସି ଭଳି ସମାନ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି କିସ ପକ୍ଷରୁ କୁହାଯାଇଛି। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଦକ୍ଷ ତାଲିମ ପ୍ରାପ୍ତ ଓ ସେମାନଙ୍କ ମଧ୍ୟରୁ ଅନେକ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରୁ ଆସିଥିବା ଜଣାପଡିଛି। ଗୁଣାତ୍ମକ ଶିକ୍ଷା ଲାଗି କିସ ସର୍ବଦା ପ୍ରତିଶ୍ରୁତି ବଦ୍ଧ। ଫଳସ୍ୱରୂପ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅନୁଷ୍ଠାନର ଶତ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ପାଉଥିବା ଜଣାପଡିଛି। ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କିସ ପକ୍ଷରୁ ସ୍ୱାଗତ କରାଯାଇଥିଲା।
ସୂଚନା ଅନୁସାରେ କିସରେ ଶିକ୍ଷକ ନିଯୁକ୍ତି ଲାଗି ବିଧିବଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିଲାଗି ୧୮ ହଜାର ପ୍ରାର୍ଥୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧୧ ହଜାର ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଲାଗି ଡକାଯାଇଥିଲା। ସେଥି ମଧ୍ୟରୁ ୪ ହଜାର ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ। ଏମାନଙ୍କୁ ଡେମୋ କ୍ଲାସ ଲାଗି ଡକାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ଶହ ପ୍ରାର୍ଥୀ ସାକ୍ଷାତକାର ପରୀକ୍ଷା ଲାଗି ଡକାଯାଇଥିଲା। ଶେଷରେ ୨୫୦ ରୁ ଊର୍ଦ୍ଧ ପ୍ରାର୍ଥୀଙ୍କୁ ନିଯୁକ୍ତି ଲାଗି ଚୟନ କରାଯାଇଥିଲା। ଶୃଙ୍ଖଳା ଓ ନିଷ୍ଠାର ସହ କାର୍ଯ୍ୟ କରିବା ଲାଗି ନବ ନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ କିଟ ଓ କିସ୍ ପ୍ରତିଷ୍ଠାତା ଡଃ ସାମନ୍ତ ଉଦବୋଧନ ଦେଇଥିଲେ।