ବିଧାନସଭାରେ ଉଠିଲା କାଶୀପୁର ଝାଡାବାନ୍ତି ପ୍ରସଙ୍ଗ

ସୋମବାର ଗୃହରେ ଉତ୍ତର ରଖିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ଝାନ୍ତାବାନ୍ତିରେ ମୃତ୍ୟ ସଂଖ୍ୟା ୬ରେ ପହଞ୍ଚିଛି। ଶନିବାର ଶଙ୍କରଡା ଗୋବରୀଘାଟିରେ ଆଉ ଜଣେ ଝାଡାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଶୁକ୍ରବାର ଝାଡାବାନ୍ତିରେ ୫ ଜଣଙ୍କର ମୃତ୍ୟ ଘଟିଥିଲା। ତେବେ ମେଡିକାଲ ଟିମ ଓ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି କେଉଁ କାରଣ ପାଇଁ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେନେଇ ସ୍ଥିତି ପରଖିଥିଲେ। ସେହିପରି ୪୬ ଜଣ ଆକ୍ରାନ୍ତଙ୍କୁ ଟିକିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଆକ୍ରାନ୍ତଙ୍କୁ ମଧ୍ୟ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କାଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ କାଶୀପୁର ପ୍ରସଙ୍ଗ ବିଧାନସଭାର ଶୂନ୍ୟକାଳରେ ଉଠିଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇବା ସହ ଗୃହରେ ଉଦବେଶ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ ବୋଲି ଦାବି କରି ହୋ ହାଲ୍ଲା କରିଥିଲେ। ଫଳରେ ଗୃହକୁ ୧୦ ମିନିଟ ପାଇଁ ମୁଲବତୀ କରାଯାଇଥିଲା। ତେବେ ଏ ପ୍ରସଙ୍ଗରେ ସୋମବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବିବୃତି ରଖିବେ ବୋଲି ବାଚସ୍ପତି ବିକ୍ରମକେଶରୀ ଆରୁଖ କହିଥିଲେ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଉଦବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି କହିଥିଲେ। ସେପଟେ ରାୟଗଡା ଜିଲ୍ଲାପାଳ ସୁଧାଦେବ ସିଂ ଅନ୍ୟ ପ୍ରଶାସିକ ଅଧିକାରୀଙ୍କ ସହିତ ଆକ୍ରାନ୍ତ ଅଞ୍ଚଳକୁ ଯାଇ ଘଟଣାର ସ୍ଥିତି ପରଖିଥିବା ଜଣାପଡିଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ରତ୍ନ ଖୋଲିବା ନେଇ ଗୃହରେ ବାଚସ୍ପତି ଶ୍ରୀ ଆରୁଖଙ୍କୁ ପ୍ରଶ୍ନ ପଚାରିଥିଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ଖୋଲି ସେଥିରେ କେତେ ପରିମାଣର ସୁନା, ରୁପା, ହୀରା ଓ ଅନ୍ୟାନ୍ୟ ରତ୍ନ ଆଦି ରହିଛି, ସେନେଇ ଜାଣିବାକୁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ଅଛି କି ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଥିଲେ। ଉତ୍ତରରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ, ରତ୍ନ ଭଣ୍ଡାର ଖୋଲିବା ନେଇ ପ୍ରସ୍ତାବ ଆସିଲେ ସେନେଇ ଅନୁଧ୍ୟାନ କରି ପଦକ୍ଷେପ ନେବୁ। ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିବାରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ବି କ୍ଷୋଭ ପ୍ରକାଶ କରିବା ସହ ଶୀଘ୍ର ମରାମତି ଓ ଅଳଙ୍କାର ଗଣତି ପାଇଁ ପୂର୍ବରୁ ଅପିଲ୍ କରିଥିଲେ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପର୍ୟ୍ୟଟନସ୍ଥଳୀର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ପ୍ରାଥମିକତା ଭିତ୍ତିରେ ବଲାଙ୍ଗୀର ଜିଲ୍ଲାରେ ଥିବା ଭୀମ ପାହାଡ, ରାଣୀ ଝରିଆଲ, ହରିଶଙ୍କର ପର୍ୟଟନସ୍ଥଳୀର ବିକାଶ କରାଯିବ। ସ୍ଥିତି ଅନୁଧ୍ୟାନ ପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗୃହରେ କହିଛନ୍ତି ପର୍ୟ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର। ଆଜି ପ୍ରଶ୍ନକାଳରେ ବିଧାୟକ ଧ୍ରୁବ ଚରଣ ସାହୁଙ୍କ ମୂଳପ୍ରଶ୍ନ ଓ ବିଧାୟକ ନରସିଂହ ମିଶ୍ରଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ବିଭାଗୀୟ ମନ୍ତ୍ରୀ। ୨୦୧୬ ପର୍ୟ୍ୟଟନ ନୀତି ଅନୁଯାୟୀ, ରାଜ୍ୟ ସରକାର ପର୍ୟ୍ୟଟନ ସ୍ଥଳୀ ଗୁଡିକର ଭିତ୍ତିଭୂମିର ବିକାଶ ଜାରି ରଖିଛନ୍ତି। ହୋଟେଲ, ଷ୍ଟାର ହୋଟେଲ, ମୌଜ ଉଦ୍ୟାନ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି। ସେହିପରି କୋରାପୁଟ ଜିଲ୍ଲାର ଦେଓମାଳୀ, ଗୁପ୍ତେଶ୍ୱର ଓ ମାଛକୁଣ୍ଡକୁ ପର୍ୟ୍ୟଟନସ୍ଥଳୀ ଘୋଷଣା କରାଯାଇଛି। ହେଲେ ଏଠାରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରାଯାଉ ନଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେପଟେ ଏହି ପ୍ରସଙ୍ଗରେ ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି।