କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ ନେଇ ଗୃହରେ ହଟ୍ଟଗୋଳ

ପ୍ରତିବାଦରେ ବିଜେପି ବିଧାୟକଙ୍କ ପ୍ରତିବାଦ

ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତା ଅଜୟ କୁମାରଙ୍କ ବିବାଦୀୟ ବୟାନ ପରେ ଓଡି଼ଶା ବିଧାନସଭାରେ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ। ଏହାଛଡା ପ୍ରତିବାଦରେ ନାରାବାଜି କରିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ବିଜେପି ନେତାମାନେ ଦାବି କରିଥିଲେ।

ଏଥି ସହିତ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ପ୍ରବଳ ହୋ ହାଲ୍ଲା କରିଥିଲେ। ଗୃହରେ ଏଥିପାଇଁ ନିନ୍ଦା ପ୍ରସ୍ତାବ ଆଗତ କରିବାକୁ ମଧ୍ୟ ବିଜେପି ବିଧାୟକମାନେ ଦାବି କରିଥିଲେ। ଫଳରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଫଳରେ ରାଜସ୍ୱ, ଯୋଜନା ଓ ସମନ୍ୱୟ, ବାଣିଜ୍ୟ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରିନଥିଲା।

ଏହାଛଡା ଶୂନ୍ୟକାଳରେ ମଧ୍ୟ କଂଗ୍ରେସ ବିଧାୟକମାନେ ମଧ୍ୟ ନାରାବାଜି କରିଥିଲେ। ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଜେପିର ଏହା ଡ୍ରାମା ବୋଲି କହିଥିଲେ। ଲୋକଙ୍କ ପଇସାରେ ବିଧାନସଭା ଚାଲୁଥିବା ବିଧାୟକ ଶ୍ରୀ ବାହିନୀପତି କହିଥିଲେ। ଆଜି ମୌସୁମୀ ଅଧିବେଶନର ଷଷ୍ଠ ଦିନ ରହିଥିଲା। ଗତକାଲି ଗୃହରେ କୃଷି ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭଳି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସାରର କଳାବଜାରୀ ନେଇ ମଧ୍ୟ ଗୃହ ସରଗରମ ରହିଥିଲା। ଏହି ପ୍ରସଙ୍ଗରେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ଅଧିରାଜ ପାଣିଗ୍ରାଣୀ, ସନ୍ତୋଷ ସିଂ ସାଲୁଜା, ସୁରେଶ ରାଉତରାୟ ପ୍ରମୁଖ ନିଜ ନିଜର ମତ ରଖିଥିଲେ।