(ମୟୂରଭଞ୍ଜ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ହାତୀ ଆକ୍ରମଣରେ ୨ ମୃତ। ରାସଗୋବିନ୍ଦପୁର ରେଞ୍ଜ ଅଧିନ ମୋରଡ଼ା ବ୍ଲକର ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ସମାଇଡ଼ିହି ଗ୍ରାମରେ ଗତକାଲି ରାତିରେ ଏଭଳି ଅଘଟଣ ଘଟିଛି।
ଅପରପକ୍ଷରେ ମୋରଡ଼ା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅଧିନ ତାଡ଼କି ଗ୍ରାମର ଖଡିଆସାହିରେ ହାତୀ ପକ୍କା ଘର କାନ୍ଥ ଠେଲି ଦେବାରୁ କାନ୍ଥରେ ଚାପିହୋଇ ବୃଦ୍ଧ ଦେବ ଦେହୁରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାତୀ ଭୟରେ ଗ୍ରାମବାସୀ ମାନେ ଆତଙ୍କିତ ଏବଂ ଉଜାଗର ରହିଥିବା ଜଣାପଡିଛି।
ସୂଚନାନୁଯାୟୀ, ସମାଇଡ଼ିହି ଗ୍ରାମର ପିତାମ୍ବର ପରମାଣିକଙ୍କ ପରିବାର ଖାଇପିଇ ଶୋଇଥିଲେ। ଏତିକି ବେଳେ ଏକ ଦନ୍ତା ହାତୀ ଗାଁ ଭିତରକୁ ପଶି ଆସି ପିତାମ୍ବରଙ୍କ ଘର ଉପରେ ଆକ୍ରମଣ କରିବା ସହ ପିତାମ୍ବରଙ୍କ ନାବାଳିକା ଝିଅ ଗୁନୁ ପରମାଣିକ (୫)କୁ ଶୁଣ୍ଢରେ ଉଠାଇ କଚାଡି ଗୋଡ଼ରେ ଦଲି ଦେଇଥିଲା। ତେବେ ନାବାଳିକା ଜଣଙ୍କ ଦିବ୍ୟାଙ୍ଗ ଥିବା ବେଳେ ତାଙ୍କ ମା ଝିଅକୁ ଧରି ଦୌଡି ପଳାଉଥିବା ବେଳେ ଦନ୍ତାହାତୀଟି ଶୁଣ୍ଢରେ ଟାଣି ଆଣି କଚାଡିବାରୁ ମା ଆହତ ହୋଇଥିଲେ ।