ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଲାଗି ବୁଧବାର ସର୍ବଦଳୀୟ ବୈଠକ ବସିବ। ନୂଆ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହ ପରିଚାଳନା କରିବେ। ଏହାଛଡା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଅନୁଷ୍ଠିତ ସର୍ବଦଳୀୟ ବୈଠକଟି ଚଳିତ ମୌସୁମୀ ଅଧିବେଶନ ଲାଗି ବେଶ ଗୁରୁତ୍ୱ ବହନ କରୁଛି। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଥିବାରୁ ବୈଠକରେ ଅନୁପସ୍ଥିତ ରହିବେ। ଏବେ କୋଭିଡ୍ କଟକଣା ସବୁଆଡ଼ୁ ହଟିଯାଇଥିଲେ ମଧ୍ୟ ବିଧାନସଭାରେ କଟକଣା ଜାରି ରହୁଥିବାରୁ ତାହାକୁ ନେଇ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଉଛି। ମାର୍ଚ୍ଚ ମାସରେ ହୋଇଥିବା ଅଧିବେଶନରେ କଟକଣା ଉଠାଇ ପୂର୍ବ ପରି ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ବିରୋଧୀ ଦଳ ସଭ୍ୟମାନେ ଦାବି କରିଥିଲେ। କିନ୍ତୁ ତତ୍କାଳୀନ ବାଚସ୍ପତି ତାହାକୁ ଗ୍ରହଣ କରିନଥିଲେ। ବିଧାନସଭା ପ୍ରେସ୍ ଗ୍ୟାଲେରିରୁ ସାମ୍ବାଦିକମାନଙ୍କୁ ଖବର ସଂଗ୍ରହ ପାଇଁ ଅନୁମତି ଦେବାକୁ ଦାବି ହୋଇଥିଲେ ମଧ୍ୟ ତାହା ଗ୍ରହଣ କରାଯାଇନଥିଲା। ବର୍ତ୍ତମାନ ରାଜ୍ୟରେ କୋଭିଡ୍ କଟକଣା ନ ଥିଲା ବେଳେ ବିଧାନସଭା ଅଧିବେଶନରେ ବାଚସ୍ପତି କିପରି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଆସନ୍ତାକାଲି ସ୍ପଷ୍ଟ ହେବ। ଅଧିବେଶନ ପାଇଁ ତିନି ପ୍ରମୁଖ ଦଳର ରଣନୀତି ପ୍ରସ୍ତୁତ କରିବା ପାଇଁ ବିଧାୟକ ଦଳ ବୈଠକ ଡକାଯାଇଛି। ତେବେ ପୂର୍ବ ଦିନ ଅର୍ଥାତ ୧ ତାରିଖରେ ରଥଯାତ୍ରା ପଡ଼ୁଥିବାରୁ ସେହିଦିନ ବୈଠକ କରାଯିବ ନାହିଁ। ୨ ତାରିଖରେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସବୁ ଦଳ ସେମାନଙ୍କ ବିଧାୟକ ଦଳ ବୈଠକ କରିବେ ବୋଲି ସୂଚନା ମିଳିଛି। ମୌସୁମୀ ଅଧିବେଶନରେ ମୋଟ୍ ୨୪ଟି କାର୍ୟ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେ । ଜୁଲାଇ ୩୦ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଉପସ୍ଥାପନ ହେବ। ଏହି ଅଧିବେଶନ ଦୁଇଟି ପର୍ୟ୍ୟାୟରେ ହେବ। ପ୍ରଥମ ପର୍ୟ୍ୟାୟରେ ଜୁଲାଇ ୨ରୁ ୬ ତାରିଖ ଯାଏ ଗୃହ ଚାଲିବ। ଜୁଲାଇ ୭ରୁ ୧୩ ତାରିଖ ପର୍ୟ୍ୟନ୍ତ ଗୃହ ମୁଲତବୀ ରହିବ।