କଟକ : ଏଠି ପୋଲିସ ନୁହେଁ ବଡ଼ ଭାଇର କର୍ତ୍ତବ୍ୟ ତୁଲାଇଛନ୍ତି କଟକ ଡିସିପି ପିନାକ ମିଶ୍ର । ନା ପାଖରେ ଥିଲା ବନ୍ଧୁକ ନା ଲାଠି । ହେଲେ ଅଗ୍ନିପଥ ଯୋଜନାକୁ ବିରୋଧ କରୁଥିବା କିଛି ଯୁବକଙ୍କୁ ଜଣେ ବଡ଼ ଭାଇ ଭଳି ବୁଝାଇଲେ ଡିସିପି । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଜଳୁଛି ସାରା ଦେଶ । ଦେଶର ବିଭିନ୍ନ ସ୍ଥାନରେ ଦେଖା ଦେଇଛି ପ୍ରତିବାଦ । ଏମିତିକି କିଛି ସ୍ଥାନରେ ପୋଲିସ ଲାଠି ଚାର୍ଜ କରୁଥିବାର ମଧ୍ୟ ଦେଖା ଦେଇଛି । ହେଲେ କଟକରେ ଏମିତି ଏକ ଦୃଶ୍ୟ ଦେଖା ଦେଇଛି ଯାହାକୁ ଦେଖିଲେ ଆପଣ ବି କହିବେ ବିନା ନାଲି ଆଖି ଆଉ ଲାଠି ଚାର୍ଜରେ ବି ବିରୋଧିଙ୍କୁ ବୁଝାଇ ହେବ । ଆଜ୍ଞା ହଁ କଟକ ଆର୍ମି ଅଫିସ ପାଖରେ ଚାଲିଥିଲା ଅଗ୍ନୀପଥ ବ୍ୟବସ୍ଥାକୁ ବିରୋଧ ।
ଶତାଧିକ ଯୁବକ ରାସ୍ତା ଉପରେ କରିଥିଲେ ପ୍ରତିବାଦ । ପୋଲିସ ବି ସେମାନଙ୍କୁ ବୁଝାସୁଝା କରାଉଥିଲେ । ସେହି ସମୟରେ ପହଞ୍ଚିଥିଲେ କଟକ ଡିସିପି ପିନାକ ମିଶ୍ର । ଆଉ ହିଂସାତ୍ମକ ନୁହେଁ ବରଂ ଭଲପାଇବାରେ ବୁଝାଇବାକୁ ଲାଗିପଡିଲେ ପିନାକ ମିଶ୍ର । ଆଉ କହିଥିଲେ, ‘ତୁମମାନଙ୍କର ଲମ୍ବା କ୍ୟାରିୟର ଅଛି | ଆଇନକୁ ହାତକୁ ନେଲେ, ପୁଲିସ କେସ ହେବ ଓ ତୁମମାନଙ୍କର କ୍ୟାରିୟର ଉପରେ ପ୍ରଭାବ ପଡିବ | ତୁମେମାନେ ବିଲକୁଲ ଆଇନକୁ ହାତକୁ ନିଅନାହିଁ | ତୁମାନଙ୍କର ଯାହା ବି ଅଭିଯୋଗ ଅଛି ତାହାକୁ ସଠିକ ଢଙ୍ଗରେ ଜଣାଅ |ତୁମେମାନେ ବିକ୍ଷୋଭ କରୁଛ, ତୁମମାନଙ୍କର ଅଧିକାର ଅଛି | କିନ୍ତୁ ଏହାର ଅର୍ଥ ନୁହେଁ ଯେ ତୁମେମାନେ ଭଙ୍ଗାରୁଜା କରିବ ଓ ଲୋକଙ୍କୁ ହଇରାଣ କରିବ | ଆମେ ତୁମ ସାଥିରେ ଅଛୁ, ତୁମମାନଙ୍କ କ୍ୟାରିୟର ଉପରେ କୌଣସି ପ୍ରଭାବ ପଡିବ ନାହିଁ’ | ଡିସିପିଙ୍କ ଏଭଳି କଥା ଶୁଣି ଶାନ୍ତ ହୋଇ ଗଲେ ପ୍ରତିବାଦକାରୀ । ବିଭିନ୍ନ ସ୍ଥାନରେ ପୋଲିସ ଓ ପ୍ରତିବାଦକାରୀ ହାତାହାତୀ ପରିସ୍ଥିତି ହୋଇଥିବା ବେଳେ ଡିସିପିଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି ।