ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣାର ପର୍ଦାଫାଶ: ପ୍ରେମ ପାଇଁ ପ୍ରେମିକ କରିଥିଲା ହତ୍ୟା

ରାଇରଙ୍ଗପୁର: ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣାର ପର୍ଦାଫାଶ। ପ୍ରେମ ପାଇଁ ମହିଳାଙ୍କୁ ହତ୍ୟା କରିଥିଲା ପ୍ରେମିକ । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ, ଦୁବୁଲାବେଡା ଗ୍ରାମର ହେରମ୍ବ ନାରାୟଣ ଉଚ୍ଚ ବିଦ୍ୟାଳୟ ପଛ ପାଚେରୀର ବୁଦା ନିକଟରୁ, ମହିଳାଙ୍କ ଗଳିତ ଶବକୁ ଉଦ୍ଧାର କରିଥିଲା ପୋଲିସ। ଏହାକୁ ନେଇ କଣ୍ଟାବଣି ଗ୍ରାମର ଗ୍ରାମରକ୍ଷୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଜିଲ୍ଲା ଆରକ୍ଷୀ ଅଧିକାରୀ ଋଷିକେଶ ଜ୍ଞାନ ଦେଓ ଖିଲାରୀଙ୍କ ନିର୍ଦେଶ କ୍ରମେ, ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ‌ ମାମଲାର ସବୁ ଦିଗକୁ ତଦନ୍ତ କରି, ଘଟଣାର ମୁଖ୍ୟ ଆସାମୀକୁ ଗିରଫ କରିଛନ୍ତି । ଘଟଣାକୁ ନେଇ ରାଇରଙ୍ଗପୁର ଏସଡିପିଓ ରତିକାନ୍ତ ଗିରି ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।

ଘଟଣାରେ ପୋଲିସ ପ୍ରଥମେ ତଦନ୍ତ କରି ମହିଳାଙ୍କ ପରିଚୟ ପାଇଥିଲା ।ମୃତ ମହିଳାଙ୍କ ନାମ ସୁବାସିନୀ ମାଝୀ, ଘର ଦୁବୁଲାବେଡ। ବର୍ଷେ ତଳେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ‌ହୋଇଯାଇଥିବା ବେଳେ ମୃତ ସୁବାସିନୀ ଘର‌ ବାହାରକୁ ଯାଇ କାମ ପାଇଟି କରି ନିଜର‌ ଦୁଇଟି ଛୁଆଙ୍କର ଲାଳନ ପାଳନ କରୁଥିଲେ।ତେବେ କାମ ସମୟରେ ବାଇଦାପୋଷୀ ଗ୍ରାମର ବୁତ୍ରୁ ମାଝୀ ସହିତ ତାଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ପରେ ପରେ ସୁବାସିନୀଙ୍କ ସହ ଆଉ ଜଣେ ଯୁବକର ମିଳାମିଶା ଦେଖି ବୁତ୍ରୁ ପ୍ରତିହିଂସା ପରାୟଣ ହୋଇ ଉଠିଥିଲା ଏବଂ ପ୍ରତିଶୋଧ ନେବା ପାଇଁ ମଉକା ଖୋଜୁଥିଲା ।

ଗତ ୧୪ତାରିଖ ରାତି ୧୦ ଟା ବେଳେ ସୁବାସିନୀଙ୍କୁ ହାଇସ୍କୁଲ ପାଚେରୀ ପାଖକୁ ଡାକି କଥାବାର୍ତ୍ତା ଓ ପ୍ରେମାଳାପ କରୁଥିବା ବେଳେ ଅନ୍ୟ ପୁରୁଷଙ୍କ ସହ ମିଳାମିଶା କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଶେଷରେ ବଚସା ଏତେ ଉଗ୍ର ରୂପ ନେଇଥିଲା କି ବୁତ୍ରୁ ରାଗିଯାଇ ପଥରରେ ସୁବାସିନୀଙ୍କ ମୁହଁକୁ ଛେଚି ମାରିବା ପରେ ସେହି ଜାଗାରୁ ଖସି ପଳାଇଥିଲେ । ଘଟଣାସ୍ଥଳରେ ସୁବାସିନୀଙ୍କ ମୃତ୍ୟୁ ହୋଇଥିଲା ।ଯାହାକି ପୋଲିସ ଆଗରେ ଆସାମୀ ସ୍ବିକାର‌ କରିଛି ।ପୋଲିସ ଆସାମୀ ବୁତ୍ରୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଇରଙ୍ଗପୁର ଏସଡିପିଓଙ୍କ ସମେତ ଟାଉନଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ‌ ଏବଂ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ନୀରଦ କୁମାର ମଲ୍ଲିକ ଉପସ୍ଥିତ ଥିବା ସ଼ହିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ ।