ଭୁବନେଶ୍ୱର : ସମୂଦ୍ରରେ ମାଡିଆସୁଛି ଅସାନି । ଭୀଷଣ ବାତ୍ୟରେ ପରିଣତ ହୋଇ ମାଡିଆସୁଛି ବାତ୍ୟା ଅସାନି । ପୁରୀର ଦକ୍ଷିଣ-ଦକ୍ଷିଣପୂର୍ବ ତତ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଅଛି ବାତ୍ୟା । ବଙ୍ଗୋପସାଗରର ୬୮୦ କିଲୋମିଟର୍ ଦୂରରେ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ୧୨ ନମ୍ବର ବୁଲେଟିନ୍ରୁ ଜଣାପଡ଼ିଛି। ଘଣ୍ଟାପ୍ରତି ୨୧ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତାକାଲି ସନ୍ଧ୍ୟାରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳଠୁ ଦୂରରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ । ଏହାପରେ ଦିଗ ବଦଳାଇବ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି । ପୁରୀ ଉପକୂଳରୁ ୯୦ କିମି ଦୂରରେ ସମାନ୍ତରାଳ ଭାବେ ଗତି କରି ଦୁର୍ବଳ ହୋଇଯିବ ଓ ସ୍ଥଳଭାଗ ଛୁଇଁ ପାରିବନି ।
ଯାହା ଫଳରେ ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଆରମ୍ଭ ହୋଇଯିବ ବର୍ଷା । ଯାହା ଫଳରେ ପବନର ବେଗ ୪୦ରୁ ୫୦ କିଲୋମିଟର ଓ ଝଟକା ପବନ ୬୦ କିମି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ୪୮ ଘଣ୍ଟା ମଧ୍ୟରେ ଏହି ସାମୁଦ୍ରିକ ବାତ୍ୟା କ୍ରମଶଃ ଦୁର୍ବଳ ହୋଇଯିବ। ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୦ରେ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ।୧୧ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ବର୍ଷିବ । ସେହିପରି ୧୨ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରରେ ବର୍ଷା ହୋଇ୧୨ରେ ପାରାଦୀପ ନିକଟରେ ଦୁର୍ବଳ ହୋଇ ଗଭୀର ଅବପାତରେ ଅତିକ୍ରମ କରିବ ଅସାନି ।