ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହିତ ପ୍ରାଥୀ ମାନଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ନିର୍ବାଚନମଣ୍ଡଳୀରେ ମୋଟ ୨ଲକ୍ଷ ୧୪ହଜାର ୭୪୫ଜଣ ଭୋଟର ଥିବାବେଳେ ଚଳିତଥର ମୋଟ ୨୭୯ଟି ବୁଥ ପ୍ରସ୍ତୁତ ହୋଇଛି ।ମେ’ ୩୧ରେ ଅନୁଷ୍ଠିତ ହେବ ବ୍ରଜରାଜନଗର ଉପନିର୍ବାଚନ । ଜୁନ ୩ ରେ ଭୋଟ୍ ଗଣତି ହେବ । ଏଥି ସହିତ ମେ ୧୧ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ।ସେହିଭଳି ମେ ୧୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମେ ୧୨ । ଜୁନ ୫ ମଧ୍ୟରେ ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।
ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରଜରାଜନଗରରେ ମୋଟ ୨,୧୪,୭୪୫ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୩୫୧୯ ଭିନ୍ନକ୍ଷମ ଓ ୩୧୨୭ ଜଣ ୮୦ ବର୍ଷରୁ ଅଧିକ ବୟସ୍କ ରହିଛନ୍ତି ।ତେବେ ଚଳିତ ବର୍ଷ ୮୦ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଘରେ ରହି ପୋଷ୍ଟାଲ ବାଲାଟରେ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ । ତେବେ ୩୧ତାରିଖରେ ଭୋଟ୍ ଗ୍ରହଣ ଥିବାରୁ ସେମାନେ ଦିନକ ପୂର୍ବରୁ ପୋଷ୍ଟାଲ ବାଲାଟରେ ନିଜର ଭୋଟ୍ ଦାନ କରିବେ। ଭୋଟ ଗ୍ରହଣ ପାଇଁ ମୋଟ ୨୭୯ଟି ବୁଥ୍ର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିବା ସିଇଓ ସୁଶିଲ୍ ଲୋହାନୀ ସୂଚନା ଦେଇଛନ୍ତି । ଉପନିର୍ବାଚନ ପାଇଁ ୬୯୯ଟି ବାଲାଟ୍ ୟୁନିଟ , ୬୮୬ଟି କଣ୍ଟ୍ରୋଲ ୟୁନିଟ୍ ଓ ୭୦୦ଟି ଭିଭିପାଟ୍ ଜିଲ୍ଲାକୁ ପଠାଯାଇ ସାରିଛି ଓ ଏସବୁର ପ୍ରଥମସ୍ତରୀୟ ବୈଷୟିକ ଯାଞ୍ଚ ମଧ୍ୟ ଶେଷ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷେ କୋଭିଡ୍ ନିୟମ ଅନୁଯାୟୀ, ନିର୍ବାଚନ ଅନୁଷ୍ଠିତ ହେବ । ଆଜିଠୁ ଆରମ୍ଭ ହୋଇଥିବା ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟାର ପ୍ରଥମ ଦିନରେ ସିପିଆଇ ଦଳ ପକ୍ଷରୁ ରମେଶ ତ୍ରିପାଠୀ ପ୍ରାର୍ଥିପତ୍ର କିଣିଛନ୍ତି । ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନ ଫାଙ୍କା ପଡ଼ିଥିବା ବେଳେ ଉପନିର୍ବାଚନ ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା ।