ଚାଷ ଜମିରୁ ସୌମିତ୍ରୀଙ୍କ ମୃତଦେହ ଉଦ୍ଧାର

ପିଟି ପିଟି ମାରି ଦେଇଥିବା ପୁଅର ଅଭିଯୋଗ

ସୁବର୍ଣ୍ଣପୁର  : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମାଲେଝୁଲି ନିକଟ ମଞ୍ଜୁରିଆପାଲି ଜମି ଭିତରୁ ବଗବେରା ଅବଲ୍ଲୀନଗର ଗାଁର ସୌମିତ୍ରୀ ଭୋଇ ଓରଫ୍ କଳାକାହ୍ନୁ (୪୮)ଙ୍କ ମୃତଦେହ ରବିବାର ପୁଲିସ ଉଦ୍ଧାର କରିଛି । ତେବେ ସୌମିତ୍ରୀଙ୍କୁ ପିଟି ପିଟି ମାରି ଦିଆଯାଇଥିବା ତାଙ୍କ ପୁଅ ପଞ୍ଜା ଭୋଇ ଅଭିଯୋଗ କରିଛନ୍ତି। ପୁଅ ପଞ୍ଜାଙ୍କ ଅଭିଯୋଗ ଅନୁସାରେ, ଶନିବାର କୃତାପଡ଼ା ଗ୍ରାମର ସଂଜୀବ ଜଗଦଲା ଓ ଶଙ୍କର୍ଷଣ ଜଗଦଲା ଅବଧୀନଗରକୁ ଆସି ସୌମିତ୍ରୀଙ୍କୁ ଜୈରାଝୁଲି ଗାଁକୁ କାମ କରିବାକୁ ଡାକି ନେଇଥିଲେ । ମାତ୍ର ସୌମିତ୍ରୀ ଆଉ ଘରକୁ ଫେରି ନଥିଲେ। ରାତି ୪ଟାରେ ସଞ୍ଜିବ ତାଙ୍କ ଘରକୁ ଆସି ତୁମ ବାପା ଆମ ସାଙ୍ଗରେ ଯାଇ ନାହିଁ ବୋଲି ପଞ୍ଚାଙ୍କୁ କହିଥିଲେ। କିନ୍ତୁ ନିକଟରେ ଥିବା ସାଲେଝୁଲି ଏକ ପଡ଼ାକୁ ଯାଇ ଜଣେ ମଦ ବେପାରୀଙ୍କ ଠାରୁ ମଦ ଆଣି ସମସ୍ତେ ପିଇଥିଲେ।

ନିଶା ନେବାରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ସଞ୍ଜୀବ ଓ ଶଙ୍କର ତାଙ୍କ ବାପା ସୌମିତ୍ରୀଙ୍କୁ ମାଡ଼ ମାରି ରକ୍ତାକ୍ତ ଅବସ୍ଥାରେ ଜମିରେ ପକାଇ ଦେଇଥିଲେ। ତାଙ୍କ ଲୁଙ୍ଗି କାଢ଼ି ଅଧ କିମି ଦୂରରେ ଫିଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି। ତେବେ କିଛି ସ୍ଥାନୀୟ ଲୋକଙ୍କ କହିବା ମୌମିତ୍ରୀ ଗୋରୁ ବେପାର କରନ୍ତି! ତେଣୁ ଗତକାଲି ସନ୍ଧ୍ୟାରେ ସୌମିତ୍ରୀଙ୍କୁ କେହି ଗୋରୁ ପାଇଁ ଅଗ୍ରିମ ୨୦ ହଜାର ଟଙ୍କା ଦେଇଥିଲା। ଏହି ଖବର ସଞ୍ଜାବ ଜାଣି ପାରିଥିଲା । ତେଣୁ ସେ ଯୋଜନା କରି ସୌମିତ୍ରୀଙ୍କୁ ଡାକି ନେଇ ମଦ ପିଆଇ ଟଙ୍କା ଲୁଟି ନେଇଥିବା ଚର୍ଚ୍ଚା ହେଉଛି। ତେବେ ସେ ଚାଲାକି କରି ସକାଳୁ ବୀରମହାରାଜପୁର ଥାନାକୁ ଯାଇ ନିଘୋଷ ଥିବା କହିଛି। ସେ ମୃତକଙ୍କ ସାର୍ଟ ବି ପିନ୍ଧି ଥାନାକୁ ଯାଇଥିବା ଜଣାଯାଇଛି। ଖବର ପାଇ ପୁଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅଭିଯୁକ୍ତ ଦ୍ଵୟଙ୍କୁ ଅଟକ ରଖି ପଚରା ଉଚରା ଚାଲିଥିବା ବୀରମହାରାଜପୁର ଥାନା ଆଇଆଇସି ଅଞ୍ଜଳି କୁମ୍ଭାର କହିଛନ୍ତି। ଘଟଣାସ୍ଥଳରେ ବୀରମହାରାଜପୁର ଏସ୍‌ଡିପିଓ ତୋଳାମଣି ଭୋଇ ବି ପହଞ୍ଚି ଥିଲେ।