ସାପ କାମୁଡାରେ ମା ଝିଅ ଦୁହିଁଙ୍କ ମୃତ୍ୟୁ

ନୂଆପଡା : ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାର ଗାଁରେ ସାପ କାମୁଡାରେ ମା ଝିଅ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତକ ଦ୍ୱୟ ହେଲେ ମା ନିରାଶ ଶବର ଓ ଝିିଅ ସବିତା ଶବର। ଗୁରୁବାର ଦିନ ବିଳମ୍ବିତ ରାତିରେ ଏହି ଅଭାବନୀୟ କାଣ୍ଡ ଘଟିଛି । ମା ଝିଅ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ପ୍ରଥମେ ସବିତାଙ୍କୁ କାମୁଡି ଦେଇଥିଲା ଏବଂ ସେ ଉଠି କାନ୍ଦିବା ଆରମ୍ଭ କରିଥିଲା ।

ପରେ ଝିଅର କାନ୍ଦ ଶୁଣି ମା ନିରାଶ ଉଠି ଥିଲେ ଓ ସାପଟିକୁ ଦେଖି ଘଉଡାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସାପଟି ତାଙ୍କୁ ମଧ୍ୟ କାମୁଡି ଦେଇଥିଲା। ଉଭୟଙ୍କ ପାଟି ଶୁଣି ଘରଲୋକ ଉଠିଥିଲେ ।ସବିତା ଓ ନିରାଶଙ୍କୁ ଗୁରୁତ୍ୱର ଅବସ୍ଥାରେ ପ୍ରଥମେ ନୂଆପଡା ମେଡିକାଲ ନିଆଯାଇଥିଲା । ସେଠାରୁ ବୁର୍ଲା ମେଡିକାଲ ନିଆଯିବା ବାଟରେ ଉଭୟଙ୍କର ମୃତ୍ୟୁ ଘଟିଥିଲା ।