କଟକ (ଜଗନ୍ନାଥ ମହାନ୍ତି): କଟକ ବାରଙ୍ଗରେ ହାତୀ ଆତଙ୍କ । ବାରଙ୍ଗ ଅଞ୍ଚଳ ଚନ୍ଦକା ଡମପଡା ରେଞ୍ଜ ଅଧୀନ ରତାଗଡ଼ ପାହାଡ଼ରେ ହାତୀପଲ ଦେଖି ସ୍ଥାନୀୟ ଗ୍ରାମବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି । ପାହାଡ ନିକଟରେ ଥିବା ଚାଷଜମିକୁ ନଷ୍ଟ କରିଦେଇଛନ୍ତି ହାତୀପଲ ।
କଦଳୀ ଗଛ, କୋବି, ଧାନ ଆଦି ବିଭିନ୍ନ ଫସଲକୁ ନଷ୍ଟ କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହିତ ହାତୀକୁ ଜଙ୍ଗଲ ଭିତରକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛି ଚନ୍ଦକା ବନବିଭାଗ । ହାତୀମାନେ ଯେପରି ଜନବସତି ମୁହାଁ ନ ହୁଅନ୍ତି ସେଥିପ୍ରତି ବନବିଭାଗ ସଜାଗ ରହିଛି।
ବର୍ତ୍ତମାନ ସେଠାରେ ୨ଟି ମାଇ ଦନ୍ତାହାତୀ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ଚନ୍ଦକା ରେଞ୍ଜ ଏ.ସି.ଏଫ ହିମାଂଶୁ ମହାନ୍ତି। ଅନ୍ୟପକ୍ଷରେ ହାତୀମାନେ ନଷ୍ଟ କରିଦେଇଥିବା ଫସଲର କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।