୪ ମାସରେ ଧୂଳିସାତ୍ ଗଣମାଧ୍ୟମ

କାବୁଲ: ରସାତଳକୁ ଗଲାଣି ଗଣମାଧ୍ୟମ । ୨୦ ବର୍ଷର କଠୋର ପରିଶ୍ରମରେ ଠିଆହୋଇଥିବା ଗଣମାଧ୍ୟମ ଶିଳ୍ପ ମାତ୍ର ୪ ମାସରେ ହରାଇଛି ସତ୍ତା । ହରାଇଛି ସ୍ୱତନ୍ତ୍ରତା । ଗଣମାଧ୍ୟମ ଉପରେ ନାନା କଟକଣା ଜୁଲମ ପରେ ମହିଳାଙ୍କ ପାଇଁ ମିଡିଆ ମନା । ଏପରି ଘଟିଛି ଆଫନାଗିସ୍ତାନରେ । ଆଫଗାନିସ୍ତାନରେ ତାଲିବାନ ଗାଦିକୁ ଆସିବା ପରେ ଗଣମାଧ୍ୟମ ଉପରେ ନାନା ନିୟମ, ସେନ୍ସରସିପ, କଟକଣା ଜାରି କରିଛି ତାଲିବାନା । ତାଲିବାନର କ୍ରୁର ଦୃଷ୍ଟି ଗଣମାଧ୍ୟମ ଉପରେ ପଡିବା ପରେ ଅଧାରୁ ଅଧିକ ସାମ୍ବାଦିକ ଚାକିରି ଛାଡିଲେଣି । ଆଉ ମହିଳା ସାମ୍ବାଦିକଙ୍କ ଦୁଃଖ ନ କହିବା ଭଲ ।

ଦୁର୍ଦ୍ଦଶାରେ ଆଫଗ।ନ ସାମ୍ବାଦିକ । ଅଗଷ୍ଟରେ ତାଲିବାନ କ୍ଷମତାକୁ ଆସିବା ପରେ ଆଫଗ।ନିସ୍ତାନ ମିଡିଆ ସେକ୍ଟରରେ କାର୍ଯ୍ୟକରୁଥିବା ୬,୪୦୦ରୁ ଅଧିକ ସାମ୍ବାଦିକ ଚାକିରି ହରାଇଲେଣି । ଏହି ସଂଖ୍ୟା ମୋଟ ଗଣମାଧ୍ୟମ କର୍ମଚାରୀଙ୍କ ସଂଖ୍ୟାର ୬୦ ପ୍ରତିଶତ । ସେହିପରି ଚାକିରି ହରାଇଥିବା ସାମ୍ବାଦିକଙ୍କ ମଧ୍ୟରେ ରହିଛନ୍ତି ୮୪ ପ୍ରତିଶତ ମହିଳା । ତାଲିବାନ ଭୟରେ ମିଡିଆ ସଂସ୍ଥା ମହିଳାଙ୍କୁ କାମ ଦେବାକୁ ମନା କରି ଦେଉଥିବା ରିପୋର୍ଟରସ ୱିଦାଉଟ ବର୍ଡର (ଆରଏସଏଫ) ଓ ଆଫଗାନ୍ ଇଣ୍ଡିପେଣ୍ଡେଣ୍ଟ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ (ଏଆଇଜେଏ) ପକ୍ଷରୁ ହୋଇଥିବା ସର୍ଭେରୁ ଜଣାପଡିଛି । ଏହା ବ୍ୟତୀତ ୨୩୧ ମିଡିଆ ହାଉସ ବନ୍ଦ ହୋଇଯାଇଛି ଯାହା ହାରାହାରି ୧୦ରୁ ୪ ରହିଛି ।

୨୦୦୧ରେ ଆମେରିକୀୟ ସେନା ଆଫଗାନିସ୍ତାନରେ ପ୍ରବେଶ କରିବା ପୂର୍ବରୁ ସେଠାରେ ତାଲିବାନ ରାଜ ଥିଲା । ସେତେବେଳେ ଗଣମାଧ୍ୟମ କହିଲେ ରେଡିଓ ଷ୍ଟେସନକୁ ବୁଝାଉଥିଲା । କିନ୍ତୁ ୨୦୦୧ ପରେ ଗଣମାଧ୍ୟମ ଶିଳ୍ପର ଅଭିବୃଦ୍ଧି ଘଟିଥିଲା ସେଠାରେ । ମହିଳାମାନେ ସାମ୍ବାଦିକତା ପ୍ରତି ଆକୃଷ୍ଟ ହୋଇଥିଲେ । ନିଜ ଦକ୍ଷତା ଉପସ୍ଥାପନ କରିଥିଲେ । କିନ୍ତୁ ଏହା ଥିଲା କ୍ଷଣସ୍ଥାୟୀ । ଅଗଷ୍ଟରେ ତାଲିବାନ ପୁଣି ଆସଲା କ୍ଷମତାକୁ । କ୍ଷମତା ହାସଲ କରିବା ପରେ ମହିଳା ଅଧିକାର, ଗଣମାଧ୍ୟମ ସ୍ୱାଧୀନତା, ସରକାରୀ କର୍ମଚାରୀଙ୍କୁ କ୍ଷମା ଦେବାକୁ ଦେଲା ପ୍ରତିଶ୍ରୁତି । କିନ୍ତୁ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଗଲା ।

ଏବେ ସେନସରସିପ ପାଇଁ ତାଲିବାନ ଜାରି କରିଛି ୧୧ଟି ନିୟମ । ଖାଲି ସେତିକି ନୁହେଁ ମହିଳା ସାମ୍ବାଦିକଙ୍କ ଉପରେ ଅତ୍ୟାଚାର ମଧ୍ୟ କହିଲେ ନ ସରେ । ଏହାକୁ ନେଇ ମହିଳାମାନେ ସାମ୍ବାଦିକତାକୁ ଗୁଡବାଏ କରୁଛନ୍ତି ତ କିଛି ସଂସ୍ଥା ମହିଳାଙ୍କୁ ମନା କରିଛି ରଖିବାକୁ । ଆରଏସଏଫ ଅନୁଯାୟୀ, ଆଫଗାନିସ୍ତାନରେ ୧୦ହଜାର ୭୯୦ ଗଣମାଧ୍ୟମ କର୍ମଚାରୀ କାର୍ଯ୍ୟକରୁଥିଲେ, ଯେଉଁଥିରେ ୨ହଜାର ୪୯୦ ମହିଳା ଥିଲେ । କିନ୍ତୁ ୪ ମାସ ମଧ୍ୟରେ କର୍ମଚାରୀଙ୍କ ସଂଖ୍ୟା ୪ହଜାର ୩୬୦କୁ ଖସି ଆସିଛି ।