ଚିତ୍ତ ହତ୍ୟା ମାମଲା: ୨ ଜଣ ଗିରଫ

ପୁରୀ: ଚିତ୍ତ ହତ୍ୟା ମାମଲାରେ ୨ ଜଣଙ୍କୁ ଗିରଫ । ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ପଲେଇ ହତ୍ୟା ଘଟଣାରେ ତଦନ୍ତ କରି କ୍ରାଇମବ୍ରାଞ୍ଚ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥ ଷଡଙ୍ଗୀ ଓ ଅଶୋକ ଉପାଧ୍ୟାୟ । ଉଭୟଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରି କ୍ରାଇମବ୍ରାଞ୍ଚ କୋର୍ଟ ଚାଲାଣ କରିଛି । ସେମାନଙ୍କୁ ୭ ଦିନ ରିମାଣ୍ଡେରେ ଆଣିବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବା କ୍ରାଇମ ବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା କହିଛନ୍ତି ।
ଚିତ୍ତ ହତ୍ୟା ମାମଲାରେ କ୍ରାଇମ ବ୍ରାଞ୍ଚ ବିଭିନ୍ନ ଦିଗକୁ ତଦନ୍ତ ପରିସରଭୁକ୍ତ କରିବା ପରେ ଜଗନ୍ନାଥ ଷଡଙ୍ଗୀ ଓ ଅଶୋକ ଉପାଧ୍ୟାୟଙ୍କୁ ଗିରଫ କରିଛି । ଏହି ହତ୍ୟା ଘଟଣାରେ ଆଉ କିଛି ସହାୟତା କରିବାର ସନ୍ଦେହ ଥିବାରୁ ଉଭୟଙ୍କୁ କ୍ରାଇମ ବ୍ରାଞ୍ଚ ୭ ଦିନ ରିମାଣ୍ଡେରେ ନେବାକୁ କୋର୍ଟଙ୍କ ନିକଟରେ ଅପିଲ କରିଛି । ଏମାନଙ୍କ ବିରୋଧରେ ଧାରା ୩୦୨, ୧୨୦, ୨୦୧ ଓ ୩୪ ଆଇପିସି ଲାଗୁ କରାଯାଇଛି ।
ଗତ ୧୩ ତାରିଖରେ ଚିତ୍ତଙ୍କର ମୃତଦେହ ନୂଆନଈରେ ଭାସୁଥିବା ଅବସ୍ଥାରେ ମିଳିଥିଲା । ଚିତ୍ତଙ୍କ ପରିବାର ଘଟଣାର ଉଚ୍ଚସ୍ତରୀୟ କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଥିଲେ । ଏହାପରେ ଡିଜିପି ଏହି ଘଟଣାର ତଦନ୍ତ ଭ।।ର କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ ।