୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ବ ବିକ୍ରେତାଙ୍କୁ କୋଭିଡ ସହାୟତା ପ୍ରଦାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ବ ବିକ୍ରେତାଙ୍କୁ ତୃତୀୟ ପର୍ୟ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ପୂର୍ବରୁ ଦୁଇଟି ପର୍ୟ୍ୟାୟରେ ମାର୍ଚ୍ଚ ୨୦୨୦ ଓ ଜୁନ୍ ୨୦୨୧ରେ ୩୦୦୦ ଟଙ୍କା ଲେଖାଏ ସହାୟତା ଦିଆଯାଇଥିଲା । ଏହା ସହିତ ସେମାନଙ୍କ ବଜାର ସୁବିଧା ପାଇଁ ୮୭ଟି ସହରାଞ୍ଚଳରେ ଭେଣ୍ଡିଂ ଜୋନ୍ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ମୁକ୍ତା ଯୋଜନାରେ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ଥିବା ପଥପାର୍ଶ୍ବ ବିକ୍ରେତା ମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ସମସ୍ତଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି । ‘ଆପଣମାନଙ୍କ କଷ୍ଟ ମୁଁ ଅନୁଭବ କରୁଛି। ମୁଁ କହିବାକୁ ଚାହେଁ ଯେ ସରକାର ସବୁବେଳେ ଆପଣମାନଙ୍କ ସାଥିରେ ଅଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସହାୟତା ଆପଣମାନଙ୍କ ଜୀବିକାକୁ ସୁରକ୍ଷା ଯୋଗାଇବ। ଗୋଟିଏ ସହରର ଅର୍ଥନୀତିରେ ପଥପାର୍ଶ୍ବ ବିକ୍ରେତା ହେଉଛନ୍ତି ଗୁରୁତ୍ବପୂର୍ଣ୍ଣ ଅଂଶ । ବଡ ବଡ ମଲ୍ ଓ ଦୋକାନ ଥିବା ସତ୍ତ୍ବେ, ପଥପାର୍ଶ୍ବ ବିକ୍ରେତା ମାନଙ୍କର ଗୁରୁତ୍ବ ରହିଛି ଓ ରହିବ ବୋଲି ସେ କହିଥିଲେ।
ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉପସ୍ଥିତ ପଥପାର୍ଶ୍ବ ବିକ୍ରେତାମାନେ ସେମାନଙ୍କ ମନ କଥା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଭୁବନେଶ୍ବରରୁ ଅକ୍ଷୟ ମହାନ୍ତି, ରାଉରକେଲାରୁ କୃଷ୍ଣଚନ୍ଦ୍ର ମୁଖାର୍ଜୀ, ସମ୍ବଲପୁରରୁ ରବିନାରାୟଣ ପ୍ରଧାନ, କଟକର ଶ୍ରୀଧର ରାୟ ଓ ବ୍ରହ୍ମପୁରରୁ ଟୁନି ବେହେରା ସେମାନଙ୍କର ମତବ୍ୟକ୍ତ କରି କହିଲେ ଯେ ଲକ୍ଡାଉନ ହେବା ପରେ ସେମାନଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ବୁଝି ଠିକ୍ ସମୟରେ ସେମାନଙ୍କୁ ସାହାଯ୍ୟ କରିଛନ୍ତି । ଦୁଇ ଥର ସାହାଯ୍ୟ ପାଇବା ପରେ ଆଜି ତୃତୀୟ ଥର ସହଯୋଗର ହାତ ବଢାଇଛନ୍ତି।
ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ବିଭିନ୍ନ ଜିଲ୍ଲାର ଆୟୋଜିତ କାର୍ୟ୍ୟକ୍ରମରେ ମହାନଗର ନିଗମ କମିଶନରମାନେ ଏବଂ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଓ ପୌରାଞ୍ଚଳ ଅଧିକାରୀ ମାନେ ଉପସ୍ଥିତ ଥିଲେ।