ନୂଆ ନଈରେ ଭାସୁଛି ଯୁବକଙ୍କ ମୃତଦେହ

ପୁରୀ: ପୁରୀର ନୂଆନଈରେ ଭାସୁଛି ଜଣେ ଯୁବକଙ୍କ ମୃତଦେହ । ରବିବାରରୁ ନିଖୋଜ ନେଇ ପରିବାର ତରଫରୁ ଅଭିଯୋଗ ହୋଇଥିବା ବେଳେ ଆଜି ନଈରୁ ମୃତଦେହ ମିଳିଛି । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣକ ହେଉଛନ୍ତି ବ୍ରହ୍ମଗିରି ସାନବନ୍ଧକେରା ଗ୍ରାମର ଚିତ୍ତରଞ୍ଜନ ପଲେଇ ।

ଦୁଇ ଦିନ ର୍ପୂବରୁ ନିଖୋଜ ଥିଲେ ସାନବନ୍ଧକେରା ଗ୍ରାମର ଚିତ୍ତରଞ୍ଜନ । ବନ୍ଧୁମାନଙ୍କ ସହ ଭୋଜି କରିବାକୁ ଯାଇଥିବା ଚିତ୍ତରଞ୍ଜନ ଆଉ ଘରକୁ ଫେରିନଥିଲେ । ଏହାପରେ ପରିବାର ଲୋକେ ତାଙ୍କ ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ଚିତ୍ତରଞ୍ଜନଙ୍କ ମୃତଦେହ ନଦୀରେ ଭାସୁଥିବାର ଦେଖିବାକୁ ମିଳିଥିଲା । ସଦର ଅଞ୍ଚଳ ଗଡମୃଗଶିରା ବ୍ରିଜ୍ ନିକଟରେ ରକ୍ତଛିଟା ପଡିଥିବା ବେଳେ ଜୋତା, ମୋବାଇଲ ଇତ୍ୟାଦି ପୋଲିସ ରବିବାର ଜବତ କରିଥିଲା। ତେଣୁ ଏସବୁ ଘଟଣାକୁ ଦେଖିଲେ ଚିତ୍ତରଞ୍ଜନକୁ ହତ୍ୟା କରାଯାଇଥିବା କିମ୍ବା ତାଙ୍କୁ ପାଣିରେ ବୁଡାଇ ଦିଆଯାଇଥିବା ପୋଲିସ ସନ୍ଦେହ କରୁଛି।
ସେପଟେ ତିନି ଜଣଙ୍କୁ ଅଟକ ରଖି ସଦର ଥାନା ପୋଲିସ ପଚରାଉଚରା ଜାରି ରଖିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ତଦନ୍ତ ପରେ ଏସବୁର ପ୍ରକୃତ ରହସ୍ୟ ଜଣାପଡିବ ।