ଭୁବନେଶ୍ୱର: ଆସୁଛି ସିଭିୟର ସାଇକ୍ଲୋନିକ ଷ୍ଟର୍ମ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ ଡ଼କ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ଦକ୍ଷିଣ ଥାଇଲ୍ୟାଣ୍ଡ ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ତେବେ ୪ ତାରିଖରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଆକାରରେ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ସମୁଦ୍ରରେ କେନ୍ଦ୍ରୀଭୂତ ହେବ । ଏହାର ପ୍ରଭାବରେ ୩ ତାରିଖ ରାତିରୁ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର ଉପକୂଳ ଜିଲ୍ଳା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ଆଇଏମଡ଼ି ମହାନିର୍ଦ୍ଦେଶକ । ୩ ତାରିଖରୁ ବାତ୍ୟାର ପ୍ରକୋପ ଦେଖିବାକୁ ମିଳିବ । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୯୦ରୁ ୧୧୦ କିଲୋମିଟର ରହିବ । ସବୁଠୁ ବଡ଼ କଥା ହେଉଛି ୪ ତାରିଖ ସକାଳ ପରଠାରୁ ବାତ୍ୟା ତାହାର ଦିଗ ପରିବର୍ତ୍ତନ କରିବ । ଆଇଏମଡ଼ି ଡ଼ିଜିଙ୍କ କହିବା ଅନୁଯାୟୀ, ବାତ୍ୟାର ସବୁଠୁ ଅଧିକ ପ୍ରଭାବ ଓଡ଼ିଶା ଉପରେ ରହିବ । ତେଣୁ ଏବେଠୁ ପ୍ରଶାସନିକ ସ୍ତରରେ ବାତ୍ୟା ମୁକାବିଲା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ବାତ୍ୟା ଉପକୂଳ ମୁହାଁ ହେବା ସହ ୩ ତାରିଖରୁ କିଛି ସ୍ଥାନରେ ବର୍ଷାର ପରିମାଣ ବଢିବ । ଖାସକରି ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ୩ ତାରିଖରୁ ବର୍ଷା ଆରମ୍ଭ ହେବ । ଯେଉଁଥିପାଇଁ ଏହି ଜିଲ୍ଲା ଗୁଡିକ ପାଇଁ ୪ ତାରିଖ ପର୍ୟ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୪ ତାରିଖ ସକାଳୁ ବାତ୍ୟା ଉପକୂଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏହି ସମୟରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲା ଗୁଡିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛନ୍ତି ଏସଆରସି।