ସୋର: ବାଲେଶ୍ୱର ଜିଲ୍ଲାରେ ପହିଛି ଭାଳେଣି । ଅଜଣା ଜନ୍ତୁ ଆକ୍ରମଣରେ ଆତଙ୍କିତ ସାରା ଅଞ୍ଚଳ । ୨ ଦିନ ଭିତରେ ୧୦ରୁ ୧୨ ଜଣଙ୍କୁ କାମୁଡି ଗୁରୁତର କରିଛି କେହି ଅଜଣା ଜନ୍ତୁ । ସେମାନଙ୍କ ମଧ୍ୟରୁ ୨ ଜଣ ବାଲେଶ୍ୱର ସ୍ଥାନାନ୍ତରିତ ହୋଇଥିବା ବେଳେ ଅନ୍ୟ ୨ ଜଣ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ବାଲେଶ୍ୱର ଜିଲ୍ଲା ସୋର ବାହାନଗା ବ୍ଲକ ଖରାସାହାପୁର ଏବଂ ଅଭଣା ଅଞ୍ଚଳରେ ଜନ୍ତୁଟି ଆତଙ୍କ ଖେଳାଇଛି । ଅଭଣା ପଞ୍ଚାୟତର ବୁଲୁ ବିଶ୍ୱାଳ ବିଳରେ ଧାନ କାଟିବା ସମୟରେ ତାଙ୍କୁ ଆକ୍ରମଣ କରିଥିଲା ଏକ ଅଜଣା ଜନ୍ତୁ । ଫଳରେ ବୁଲୁଙ୍କର ହାତ, ଗୋଡ ଏବଂ ଜଙ୍ଘରୁ ରକ୍ତସ୍ରାବ ହୋଇଥିଲା । ତେଣୁ ତାଙ୍କୁ ତୁରନ୍ତ ସୋର ମେଡିକାଲକୁ ଅଣାଯାଇଥିଲା । କେବଳ ଅଭଣାର ବୁଲୁ ନୁହେଁ ରମଧା ଗ୍ରାମର ୨ ଜଣ ବାଳିକା ମଧ୍ୟ ଅଜଣା ଜନ୍ତୁ ଆକ୍ରମଣର ଶିକାର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ସୋର ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏହି ଅଞ୍ଚଳର ୧୦ରୁ ୧୨ ଜଣଙ୍କୁ ଅଜଣା ଜନ୍ତୁଟି କାମୁଡି ଗୁରୁତର କରିଥିବା ବେଳେ ସମ୍ପୂର୍ଣ୍ଣ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ତେଣୁ ତୁରନ୍ତ ବନ ବିଭାଗ ଏନେଇ ଦୃଷ୍ଟି ଦେବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।