ଗୋପ (ଜୟନ୍ତ କୁମାର ସେଠୀ): ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦୂକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଚଳିତବର୍ଷର ବିଷୟବସ୍ତୁ ‘ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତିରାଜ ଅନୁଷ୍ଠାନର କର୍ମୀ ବିପର୍ଯ୍ୟୟ ପ୍ରସ୍ତୁତିର ମେରୁଦଣ୍ତ’ ଉପରେ ଆଲୋଚନା ହୋଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ବେଳେ ପାରସ୍ପରିକ ସହଯୋଗରେ ଦୁର୍ବିପାକର ମୁକାବିଲା କରାଯାଇ ପାରିବ । ଦୈବୀ ଦୁର୍ବିପାକ ସଂପର୍କିତ ସଠିକ ସୂଚନା ସହ ଠିକଣା ସମୟରେ ତ୍ୱରିତ ପଦକ୍ଷେପ ଗ୍ରହଣ ଓ ସତର୍କତା ଅବଲମ୍ବନର ଆବଶ୍ୟକତା ରହିଛି । ବିଶେଷ କରି ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଅଧିକାରୀ, କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ବିଭିନ୍ନ ଅନୁଷ୍ଠାନର ସ୍ୱେଚ୍ଛାସେବୀ ମାନଙ୍କ ପ୍ରତି ସଂପୃକ୍ତ ଅଞ୍ଚଳରେ ଜନସାଧାରଣଙ୍କ ସହଯୋଗ ରହିଲେ ବିପର୍ଯ୍ୟୟ ପରବର୍ତ୍ତି ପରିସ୍ଥିତିକୁ ମୁକାବିଲା କରିବାରେ ସହାୟକ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିପର୍ଯ୍ୟୟ ପ୍ରସ୍ତୁତିର ଶପଥ ପାଠ କରାଯାଇଛି । ଏହା ବ୍ୟତୀତ ସମସ୍ତ ବ୍ଲକ ଓ ତହସିଲରେ ଉକ୍ତ ଶପଥ ପାଠ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି ।
ଏହି ଅବସରରେ ଜିଲ୍ଲା ଆପଦକାଳୀନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ତାଙ୍କ ସମେତ ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ରାଉତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଓସଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ଦାଶ, ସୋଲାର ଅନୁଷ୍ଠାନର ହରିଶ ଦାସ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।