ଭୋଟର ତାଲିକା ସଂଶୋଧନ ନିମନ୍ତେ ସର୍ବଦଳୀୟ ବୈଠକ

ଗୋପ (ଜୟନ୍ତ କୁମାର ସେଠୀ): ଭାରତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଫଟୋ- ଭୋଟର ତାଲିକା ସଂଶୋଧନ କାର୍ୟ୍ୟକ୍ରମ ଜାରି ରହିଛି । ଏ ନେଇ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି । ନୂତନ ଭୋଟର ଭାବେ ପଞ୍ଜିକରଣ ନିମନ୍ତେ ଫର୍ମ-୬, ପ୍ରବାସୀ ଭାରତୀୟ ମାନଙ୍କ ପଞ୍ଜିକରଣ ନିମନ୍ତେ ଫର୍ମ -୬ (କ), ଭୋଟର ତାଲିକାରୁ ନାମ ବାଦ ପାଇଁ ଫର୍ମ-୭, ତ୍ରୁଟି ସଂଶୋଧନ ପାଇଁ ଫର୍ମ-୮, ସ୍ଥାନାନ୍ତରଣ ନିମନ୍ତେ ଫର୍ମ-୮ (କ) ମାଧ୍ୟମରେ ବୁଥ ସ୍ତରରେ ବିଏଲଓ ମାନଙ୍କ ନିକଟରେ ଆବେଦନ କରିପାରିବେ । ଏହି କାର୍ୟ୍ୟକ୍ରମ ଆସନ୍ତା ନଭେମ୍ବର ୧ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ଚାଲୁ ରହିବ ।
ଏଥି ସହିତ ଆସନ୍ତା ଡିସେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗ ଗୁଡିକର ସମାଧାନ କରାଯାଇ ଆସନ୍ତା ବର୍ଷ ଜାନୁୟାରୀ ୫ ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଭୋଟର ହେଲ୍ପଲାଇନ ଆପ ନେସନାଲ ଭୋଟର ସର୍ଭିସ ପୋର୍ଟାଲ ଏବଂ ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ଭୋଟର ମାନେ ସେମାନଙ୍କ ତଥ୍ୟ ପାଇପାରିବେ । କୌଣସି ଭୋଟର ଯେପରି ଭୋଟ ଦାନରୁ ବଞ୍ଚିତ ନହୁଅନ୍ତି ଏଥିନିମନ୍ତେ ଆସନ୍ତା ୭ ଓ ୨୧ ତାରିଖ ରବିବାର ମାନଙ୍କରେ ସ୍ୱତନ୍ତ୍ର ଅଭିଯାନ ଦିବସ ପାଳନ କରାଯିବ । ବୁଥ ସ୍ତରୀୟ ଅଧିକାରୀ ମାନେ ବୁଥ ଗୁଡିକରେ ଉପସ୍ଥିତ ରହିବେ । ଜିଲ୍ଲାରେ ୭ ଲକ୍ଷ ୧୫ ହଜାର ୯୧୨ ଜଣ ପୁରୁଷ, ୬ ଲକ୍ଷ ୬୮ ହଜାର ୨୮୮ ଜଣ ମହିଳା ଓ ଅନ୍ୟାନ୍ୟ ୬୯ ଜଣଙ୍କୁ ମିଶାଇ ମୋଟ ୧୩ ଲକ୍ଷ ୮୪ ହଜାର ୨୬୯ ଜଣ ଭୋଟର ଅଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ନିର୍ବାଚନ ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।