କଟକ (ଜଗନ୍ନାଥ ମହାନ୍ତି): ବିଦ୍ୟୁତ ବିତରକ ସଂସ୍ଥା ଟାଟା ପାୱାରର ମନମାନି ବିରୁଦ୍ଧରେ ତେଜୁଛି ଅସନ୍ତୋଷ । ବିଶେଷ କରି କମ୍ପାନୀରେ କାମ କରୁଥିବା ଠିକାଦାରମାନେ ବଡ ସମସ୍ୟା ଦେଇ ଗତି କରୁଛନ୍ତି । ଏଥିପାଇଁ କଟକରେ ଏକ ସାଧାରଣ ବୈଠକରେ ଆଗାମୀ ରଣନୀତି ପ୍ରସ୍ତୁତ କରିଛି ଓଡିଶା ବିଦ୍ୟୁତ ଠିକାଦାର ସଂଘ । ଏ ନେଇ ବିଭିନ୍ନ ଦଫାରେ ଦାବି ରଖିଛି ସଂଘ । ରାଜ୍ୟ ସରକାରଙ୍କ ଦ୍ଵାରା ପଞ୍ଜିକୃତ ଠିକାଦାର ବ୍ୟବସ୍ଥାକୁ ଉଚ୍ଛେଦ କରି ରାଜ୍ୟ ବାହାରର ଠିକାଦାରମାନଙ୍କୁ କାହିଁକି କାର୍ୟ୍ୟ ଦିଆଯାଉଛି ବୋଲି ସଂଘ ପ୍ରଶ୍ନ କରିଛି । ଓଡିଶା ଇଲେକ୍ଟ୍ରିସିଟି ରେଗୁଲାଟେରି କମିସନ ରଖିଥିବା ନିୟମକୁ ଟାଟା କମ୍ପାନୀ ନିୟମ ଖିଲାପ କରୁଥିବା ଅଭିଯୋଗ ହୋଇଛି । ଯାହା ଫଳରେ ବିଦ୍ୟୁତ ଠିକାଦାରମାନଙ୍କ ବଞ୍ଚିବା କଷ୍ଟକର ହୋଇପଡିଛି ।
ଟାଟା କମ୍ପାନୀ ଏକ ବିଦ୍ୟୁତ ସାମଗ୍ରୀ କମ୍ପାନୀକୁ କିଣିବା ପାଇଁ ଉଦ୍ଦେଶ୍ୟ ମୂଳକ ଠିକାଦାରମାନଙ୍କୁ ଚାପ ପ୍ରୟୋଗ କରାଯାଉଛି । ହେଲେ ରାଜ୍ୟରେ ଶହ ଶହ କମ୍ପାନୀ ଥିବାବେଳେ ଟାଟା କମ୍ପାନୀ କାହା ସ୍ୱାର୍ଥରେ ଗୋଟିଏ କମ୍ପାନୀକୁ ବିଭିନ୍ନ ସାମଗ୍ରୀ କଣିବାକୁ ଏ ପଦକ୍ଷେପ ନେଇଛି। ସେହିପରି ଟାଟା ପାୱାରର ଛଅ ପ୍ରତିଶତ ଡିପୋଜିଟ କାର୍ୟ୍ୟ ଉପରେ ମନ ମୁତାବକ ନିୟମ ଲାଗୁ କରିଛି । ଯାହା ଦ୍ୱାରା ଠିକାଦାରମାନେ ଅସୁବିଧାର ସମ୍ମୁଖୀନ ହେବା ସହ ରାଜ୍ୟରେ ବିଦ୍ୟୁତ ସାମଗ୍ରୀ ତିଆରି କରୁଥିବା ଅଣୁ ବା କ୍ଷୁଦ୍ର ଶିଳ୍ପ ଗୁଡିକ ଏବଂ ଏହାର ବିକ୍ରେତା ମାନେ ଜୀବନଜୀବିକା ହରାଉଛନ୍ତି । ତେଣୁ ଏହାକୁ ମୁଖ୍ୟମନ୍ତ୍ରୀ ବିଚାରକୁ ନେଇ ଯଥାଶୀଘ୍ର ପୂରଣ କରିବାକୁ ସଂଘ ଦାବୀ କରିଛି । ଯଦି ରାଜ୍ୟ ସରକାର କୌଣସି ଦାବିକୁ ଖିଲାପ କରନ୍ତି ତେବେ ଆଗାମୀ ୪ ଦିନ ମଧ୍ୟରେ ଧାରଣା ଦେବାକୁ ଚେତାବନୀ ଦେଇଛି ଠିକାଦାର ସଂଘ ।
ଏହି ସଭାକୁ ସଂଘର ମୁଖ୍ୟ ପରାମର୍ଶଦାତା ତଥା ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସଂଘର ପ୍ରତିଷ୍ଠାତା ତ୍ରିନାଥ ମୁଦୁଲି, ସଭାପତି ଯତିନ୍ଦ ପ୍ରଧାନ, ଉପସଭାପତି ତୋଫାନ ପରିଡା,ସମ୍ପାଦକ ଏନ.ସି ପରିଡାଙ୍କ ସମେତ ରାଜ୍ୟର ୧୦୦ ରୁ ଅଧିକ ବିଦ୍ୟୁତ ଠିକାଦାରମାନେ ଉପସ୍ଥିତ ଥିଲେ।