ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ସଂଗଠନ ଆନୁକୂଲ୍ୟରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ସଦର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ । ସ୍ୱଳ୍ପ ସଞ୍ଚୟ ଉପ ବିଭାଗର ଉପ ଶାସନ ସଚିବ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଞ୍ଚିତ ଅର୍ଥ ରାଶିକୁ ପଞ୍ଜିକୃତ ସଂସ୍ଥାରେ ଜମା କରିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ଅଣସ୍ୱୀକୃତିପ୍ରାପ୍ତ, ଅଣଅଧିକୃତ ଏବଂ ଅଣପଞ୍ଜିକୃତ ସଂସ୍ଥା, ଅନୁଷ୍ଠାନ କିମ୍ବା ବ୍ୟକ୍ତିଙ୍କ ନିକଟରେ ଅର୍ଥ ନିବେଶ ଠାରୁ ଦୂରେଇ ରହିବାକୁ କହିଥିଲେ । ସେହିଭଳି ପୁରୀ ଡାକ ମଣ୍ତଳର ବରିଷ୍ଠ ଡାକ ଅଧିକ୍ଷକ ବିପିନ ବିହାରୀ ମହାନ୍ତି ପୋଷ୍ଟ ବିଭାଗ ପକ୍ଷରୁ ଜମାରାଶି ଉପରେ ସୁଧ ଏବଂ ବିଭିନ୍ନ ସଞ୍ଚୟ ଯୋଜନା ଉପରେ ଆଲୋକପାତ କରିଥିଲେ । ଅଣପଞ୍ଜିକୃତ ବେସରକାରୀ ସଂସ୍ଥାରେ ଅର୍ଥ ଲଗାଣ ସର୍ବଦା ଅସୁରକ୍ଷିତ ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିଭଳି ଆକସ୍ମିକ ଏବଂ ଆକର୍ଷଣ ଅର୍ଥ ପାଇବା ପ୍ରତି ପ୍ରଲୋଭିତ ନହେବା ପାଇଁ ଇଣ୍ତିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ପରିଚାଳକ ଅବିନାଶ ପାଣି କହିଥିଲେ । ସନ୍ଦିଗ୍ଧ ବ୍ୟକ୍ତି, ଫୋନ କଲ, ଇମେଲ ପ୍ରତି ସର୍ବଦା ସତର୍କତା ଅବଲମ୍ବନ କରିବାକୁ ହେବ । ଅର୍ଥଲଗାଣ ପୂର୍ବରୁ ଏହାର ଯାଞ୍ଚ କିମ୍ବା ପରାମର୍ଶ କରାଯିବା ଆବଶ୍ୟକତା ବୋଲି ସେ ସେ କହିଥିଲେ ।
ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ବିଭୂତି ଭୂଷଣ ନାୟକ ସଭା ପରିଚାଳନା କରିଥିବା ବେଳେ ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ଆଚାର୍ଯ୍ୟ, ପୁରୀ ସଦର ଏବିଡିଓ ମନୋଜ ବେହେରା, ସିଡିପିଓ ଚନ୍ଦ୍ରପ୍ରଭା ଦେଇ ପ୍ରମୁଖ ଉପସ୍ଥିତ ଥିଲେ ।