କଟକରେ ପଡିଥିଲା ମୃତଦେହ, ସହାୟତାର ହାତ ବଢାଇଲେ ଯୁବ ନେତା

ମାଲକାନଗିରି(ସୂର୍ଯ୍ୟକାନ୍ତ ବେହେରା): କଟକରେ ଚିକିତ୍ସାଧୀନ ଅବସ୍ଥାରେ ମାଲକାନଗିରିର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେଠାରେ ପଡି ରହିଥିଲା ତାଙ୍କ ମୃତଦେହ । ଏହି ଘଟଣାକୁ ନେଇ ହସ୍ପିଟାଲ ଅଣଦେଖା କରିବା ପରେ ମାଲକାନଗିରିର ଜଣେ ଯୁବ ନେତା ବୁଝାଇଥିଲେ ମାନବିକତାର ଅସଲ ସଂଜ୍ଞା ।
ମାଲକାନଗିରି ଜିଲ୍ଲାର ଏମଭି-୭୨ ଗାଁର ହରନ ସରକାର ଦୀର୍ଘ ବର୍ଷ ଧରି କ୍ୟାନ୍ସରରେ ପୀଡିତ ହୋଇ କଟକର ଆଚାର୍ୟ୍ୟ ହରିହର କର୍କଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପାଇଁ ସୁନାଗହଣାଠୁ ଆରମ୍ଭ କରି ଘରବାଡି ସବୁ ବନ୍ଧା ପଡି ସାରିଥିଲା । ତେବେ ଗତକାଲି ହରନଙ୍କର ମୃତ୍ୟୁ ଘଟିଛି । ମୃତଦେହକୁ ନେବା ପାଇଁ ପରିବାର ଲୋକଙ୍କ ପାଖରେ ଆବଶ୍ୟକୀୟ ଅର୍ଥ ନଥିଲା । ଏଥିପାଇଁ ସେମାନେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ଗୁହାରୀ କରିଥିଲେ ହେଁ ହସ୍ପିଟାଲ କର୍ତ୍ତୃପକ୍ଷ କିନ୍ତୁ ଶୁଣି ନଥିଲେ । ତେଣୁ ନିରୁପାୟ ହୋଇ ମୃତ ହରନଙ୍କ ସ୍ତ୍ରୀ ଅନୀତା ଦୀର୍ଘ ସମୟ ଧରି ନିଜ ଦୁଇବର୍ଷର ଛୁଆକୁ ଧରି ସହାୟତା ଆଶାରେ ପଡି ରହିଥିଲେ । ଅନୀତାଙ୍କୁ ଦେଖି ତାଙ୍କଠୁ ସମସ୍ତ ଘଟଣା ବୁଝି କିଛି ସ୍ଥାନୀୟ ସହୃଦୟ ବ୍ୟକ୍ତି ସୋସିଆଲ ମିଡିଆରେ ସମସ୍ତ ଘଟଣାକୁ ବିସ୍ତୃତ ଭାବେ ପୋଷ୍ଟ କରିଥିଲେ । କିଛି ସମୟର ବ୍ୟବଧାନ ପରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ମାଲକାନାଗିରି ବିଜେଡି ଯୁବନେତା ରାହୁଲ ରାଓଙ୍କର ନଜର ପଡିଥିଲା । ଏହି ଘଟଣାକୁ ନେଇ ରାହୁଲ ରାଓ ତୁରନ୍ତ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଚିତ୍ରକୋଣ୍ଡା ବିଧାୟକ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ସହାୟତାରେ ହରନ ସରକାରଙ୍କ ମୃତଦେହକୁ ତାଙ୍କ ଗ୍ରାମକୁ ଆଣିବା ଲାଗି ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ ।