ବାଇକ ଲୁଟେରା ଗ୍ୟାଙ୍ଗ ଗିରଫ

ଗୋପ(ଜୟନ୍ତ କୁମାର ସେଠୀ): ପୁରୀରେ ଦିନକୁ ଦିନ ବାଇକ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହେଉଥିବା ବେଳେ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁରୀ ପୋଲିସ । ତିନି ଜଣିଆ ବାଇକ ଲୁଟେରା ଗ୍ୟାଙ୍ଗକୁ ବଳିଆପଣ୍ତା ଥାନା ପୋଲିସ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ବ୍ରହ୍ମଗିରି ହସିମପୁର ଅଞ୍ଚଳର ରାଜେଶ କୁମାର ପ୍ରଧାନ, ବଳିଆପଣ୍ତାର ସୁଭେନ୍ଦୁ କରମକାର ଓ ଗୋପିନାଥପୁରର ଦଇତାରୀ ବେହେରା । ଏମାନଙ୍କ ନିକଟରୁ ୫ଟି ଚୋରା ବାଇକ, ତିନୋଟି ଦାମି ମୋବାଇଲ, ୩ ହଜାର ଶହେ ଟଙ୍କା ସହ ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ଏକ ମୋପେଡ ଗାଡି ପୋଲିସ ଜବତ କରିଛି ।
ଗତ ୮ ତାରିଖ ଦିନ ପୁରୀ ଗୌଡବାଡ ସାହିର ଶେଷ ବେହେରା ଷ୍ଟର୍ଲିଂ ରିସର୍ଟ ଠାରେ ନିଜ ବାଇକ ରଖି ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିଲେ । ତେବେ ମାଛ ମାରି ଫେରିବା ପରେ ତାଙ୍କ ବାଇକ ନଥିବା ସେ ଦେଖିବାକୁ ପାଇଥିଲେ । ଏନେଇ ଗତ ୧୧ ତାରିଖରେ ବଳିଆପଣ୍ତା ଥାନାରେ ଶେଷ ବେହେରା ଅଭିଯୋଗ କରିବା ପରେ ଗତକାଲି ପୋଲିସ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ତେବେ ଅଭିଯୁକ୍ତ ମାନେ ପୁରୀ, ଭୁବନେଶ୍ୱର ଓ କଟକରେ ଏହି ଚୋରା ବାଇକ ବିକ୍ରି କରୁଥିବା ବେଳେ ଖୁବଶୀଘ୍ର ଗ୍ୟାଙ୍ଗର ମାଷ୍ଟର ମାଇଣ୍ତ ଧରାପଡିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପୁରୀ ବଳିଆପଣ୍ତା ଥାନା ପୋଲିସ ସୂଚନା ଦେଇଛି ।