ଆଦର୍ଶ ଗ୍ରାମ ପାଇଁ ଗ୍ରାମବାସୀଙ୍କ ନିବେଦନ

ରାଇରଙ୍ଗପୁର(ସତ୍ୟନାରାୟଣ ପାଲ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକର ନାଗଭଣ ଗ୍ରାମ ହେଉଛି ସବୁଠାରୁ ବଡ଼ ଗାଁ । ଉକ୍ତ ଗ୍ରାମଟି ଏକ ଐତିହାସିକ ସଂସ୍କୃତି ଓ ପରମ୍ପରା ସମ୍ପନ୍ନ ଗ୍ରାମ । ବିଶ୍ୱ ପ୍ରଷିଦ୍ଧ ଛଉ ନୃତ୍ୟ, ଚଇତି ପର୍ବ ଓ ବାଉଁଶ କାରିଗର ପାଇଁ ବିଖ୍ୟାତ ଏହି ଗାଁର ରାସ୍ତା ଘାଟ ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ । ସାମାନ୍ୟ ବର୍ଷା ପାଣିରେ ଉବୁଟୁବୁ ହେଉଛି ସାରା ଗାଁ । ସେପଟେ ସରକାରୀ ପୋଖରୀ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ଅଛି । ଗ୍ରାମରେ ପ୍ରଶାସନ କିମ୍ବା ସରକାରଙ୍କ ଶୁଭ ଦୃଷ୍ଟି ଏ ପର୍ୟ୍ୟନ୍ତ ପଡି ନାହିଁ କି କୌଣସି ଆଖିଦୃଶିଆ ବିକାଶ ହୋଇ ପାରିନାହିଁ । ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ରାସ୍ତା ଘାଟ, ଡ୍ରେନ ,ପାନୀୟ ଜଳ ଯୋଗାଣ ନିକଟରେ ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ଅଧିକାଂଶ ଲୋକ ଅନ୍ଧାରରେ ରହୁଛନ୍ତି ।
ଏ ନେଇ ଗ୍ରାମର ଯୁବ ସାମାଜିକ କର୍ମି ଗଣେଶ ମିଶ୍ର ରାଇରଙ୍ଗପୁର ବିଡ଼ିଓ ସାଗର ମୁର୍ମୁଙ୍କ ସହ ଆଲୋଚନା କରିଛନ୍ତି ଓ ବିଡ଼ିଓ ଡିଆରଡିଏଙ୍କୁ ଲିଖିତ ଭାବରେ ଜଣାଇଥିବା ସୂଚନା ମିଳିଛି । ତେବେ ଏ ନେଇ ନାଗଭଣ ଗାଁକୁ ଏକ ଆଦର୍ଶ ଗ୍ରାମରେ ପରିଣତ କିରିବା ପାଇଁ ଗ୍ରାମବାସୀ ମାନେ ସରକାର, ସ୍ଥାନୀୟ ବିଧାୟକ, ସାଂସଦ ଓ ଉପଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଏଥିସହ ଗାଁର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ସୌନ୍ଦର୍ଯୀକରଣ କରିବା ପାଇଁ ନିବେଦନ କରିଛନ୍ତି ।