ଉଦଳା (ଦୀପକ ମିଶ୍ର ): ଆଉ ମାତ୍ର ଦିନକ ପରେ ବିଘ୍ନ ବିନାଶକ ଗଣେଶଙ୍କ ପୂଜା । କପ୍ତିପଦା ଉପଖଣ୍ଡରେ ଥିବା ମୂର୍ତି କାରିଗର ଯେଉଁଠି ପୂର୍ବ ବର୍ଷମାନଙ୍କରେ ଶହ ଶହ ଗଣେଶ ମୂର୍ତି ତିଆରି କରୁଥିଲେ, ଏବେ ମାତ୍ର ୩୦ ରୁ ୫୦ ଟି ମୂର୍ତି ତିଆରି ହେଉଛି । ପାର୍ବଣ ଋତୁରେ କିଛି ରୋଜଗାର କରି ବର୍ଷ ତମାମ ପରିବାର ପ୍ରତିପୋଷଣ କରିବାର ଆଶା ରଖିଥିବା ମୂର୍ତି କାରିଗରକୁ କିନ୍ତୁ କରୋନା ମାଡ ବେହାଲ କରିଛି । ଲୋକେ କରୋନା ଭୟରେ ମାଟିର ମୂର୍ତି ମଧ୍ୟ କିଣିବାକୁ ପଛଘୁଂଚା ଦେଉଛନ୍ତି । ଆଉ ମାତ୍ର ଗୋଟିଏ ଦିନ ପରେ ଗଣେଶ ପୂଜା ଥିବା ବେଳେ କେଉଁଠି ଠାକୁରଙ୍କର ରଙ୍ଗ କାମ ଆରମ୍ଭ ହୋଇଛି ତ ପୁଣି କେଉଁଠି ମୂର୍ତିରେ ରଙ୍ଗ ଦିଆଯାଇନାହିଁ ।
କାରିଗରଟିଏ ହାତରେ ତୂଳୀ ଧରି ମୂର୍ତିରେ ଗଣେଶଙ୍କ ଆଖି ତିଆରି ଠାରୁ ଆରମ୍ଭ କରି ମୂର୍ତିରେ ଶେଷ ସ୍ପର୍ଶ ଦେବା ପାଇଁ ବ୍ୟସ୍ତ ବିବ୍ରତ ହୋଇ ପଡିଛି । ଗତ ବର୍ଷ କରୋନା ମହାମାରୀ କାରଣରୁ ପୂଜା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ପୂଜା ନେଇ କିଛିଟା କଟକଣା କୋହଳ ହୋଇଥିବା ବେଳେ କାରିଗର ଦି ପଇସା ରୋଜଗାର କରିବାର ଆଶା ରଖିଛନ୍ତି । ଏଠାରୁ ତିଆରି ହେଉଥିବା ମୂର୍ତି କେବଳ କପ୍ତିପଦା କିମ୍ବା ଉଦଳା ନୁହେଁ ବରଂ ଜିଲ୍ଲାର ବିଭିନ୍ନ ପ୍ରାନ୍ତକୁ ଯାଉଥିବା ବେଳେ ଚଳିତ ବର୍ଷ ମୂର୍ତି ବାହାରକୁ ଯାଇପାରୁ ନ ଥିବାରୁ ଚିନ୍ତାରେ ପଡିଛନ୍ତି କାରିଗର । ତେବେ ମୂର୍ତି ତିଆରି ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ କେବଳ ଶେଷ ସ୍ପର୍ଶ ବାକି ରହିଛି । ମୂର୍ତିକୁ ଶେଷ ସ୍ପର୍ଶ ଦେବା ପରେ ଗ୍ରାହକ ଅପେକ୍ଷାରେ ବସିଛନ୍ତି ମୂର୍ତି କାରିଗର ।