ସୁନ୍ଦରଗଡ଼ : କଳାପଟା ବଦଳରେ ସ୍ମାର୍ଟ ବୋର୍ଡ, ସ୍ମାର୍ଟ କଣ୍ଟେଣ୍ଟ୍ରେ ପିଲାଙ୍କୁ ପାଠ ପଢ଼ାଇବେ ଶିକ୍ଷକ । ପାରମ୍ପରିକ କ୍ଲାସରୁମ୍ ଏବେ ସ୍ମାର୍ଟ କ୍ଲାସରୁମ୍ ରୂପ ନେଉଛି। କଳାପଟା ଜାଗାରେ ସ୍ମାର୍ଟ ବୋର୍ଡ ଲାଗିବ। ଶିକ୍ଷକମାନେ ପିପିଟି, ଫଟୋ ଏବଂ ଭିଡିଓ ବ୍ୟବହାର କରି ପିଲାଙ୍କୁ ପାଠ ପଢ଼ାଇବେ। ହାଇସ୍କୁଲ ରୂପାନ୍ତରଣ କାର୍ୟ୍ୟକ୍ରମ ଅଧୀନରେ ଏହି ସ୍ମାର୍ଟ ଶିକ୍ଷାଦାନ ପ୍ରଣାଳୀ ପାଇଁ ସ୍ମାର୍ଟ କଣ୍ଟେଣ୍ଟ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ଦିଆଯାଉଛି।
ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି । ପ୍ରଥମ ପର୍ୟ୍ୟାୟରେ ଜିଲ୍ଲାର ୫୦ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କାମ ଚାଲିଛି। ସେହି ୫୦ଟି ହାଇସ୍କୁଲର ବିଜ୍ଞାନ ଓ ଗଣିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ମାର୍ଟ ବୋର୍ଡ ଜରିଆରେ ଶିକ୍ଷାଦାନ ପ୍ରଣାଳୀ ସହ ପରିଚିତ କରାଇବା ପାଇଁ ସୁନ୍ଦରଗଡ଼ ସ୍ଥିତ ଭବାନୀ ଶଙ୍କର ହାଇସ୍କୁଲଠାରେ ସେପ୍ଟେମ୍ବର ୫ ତାରିଖ ଗୁରୁଦିବସରୁ ଏକ ତିନିଦିନିଆ କର୍ମଶାଳା ଆୟୋଜିତ ହୋଇଥିଲା ।
ହାଇସ୍କୁଲ ରୂପାନ୍ତରଣ କାର୍ୟ୍ୟକ୍ରମ ଜରିଆରେ ଯେଉଁ ସ୍ମାର୍ଟ କ୍ଲାସରୁମ୍ ବିକଶିତ କରାଯାଉଛି, ସେଠାରେ ପିଲାଙ୍କୁ ଶିକ୍ଷାଦାନ ପାଇଁ ସ୍ମାର୍ଟ ବୋର୍ଡ, ସ୍ମାର୍ଟ କଣ୍ଟେଣ୍ଟ ବ୍ୟବସ୍ଥା କରାଯାଉଥିବା ନେଇ କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ।କର୍ମଶାଳାରେ ସୁନ୍ଦରଗଡ଼ ସ୍ଥିତ ଭର୍ଚୁଆଲ କ୍ଲାସର ବୈଷୟିକ ତାଲିମଦାତାମାନେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ଦେଇଥିଲେ। ସ୍ମାର୍ଟ ଇଂଟରାକ୍ଟିଭ୍ ଟିଭି (ସ୍ମାର୍ଟ ବୋର୍ଡ) ମାଧ୍ୟମରେ ଶ୍ରେଣୀଗୃହରେ ଶିକ୍ଷାଦାନ, ୟୁଟ୍ୟୁବ୍ ଜରିଆରେ ପାଠ୍ୟ ସମ୍ପର୍କିତ ଭିଡିଓ ଦେଖାଇ ଶିକ୍ଷାକୁ କିଭଳି ଆନନ୍ଦଦାୟକ କରାଯାଇପାରିବ, ସେ ସମ୍ପର୍କରେ ପ୍ରଶିକ୍ଷକମାନେ ବୁଝାଇଥିଲେ।
ଏହା ସହିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାନଠାରୁ ଆରମ୍ଭ କରି ବିଦ୍ୟାଳୟର ସମସ୍ତ ତଥ୍ୟ ପରିଚାଳନା କରିବା ପାଇଁ ଲର୍ଣ୍ଣିଂ ମ୍ୟାନେଜମେଂଟ ସିଷ୍ଟମ ନାମକ ଏକ ଆପ୍ଲିକେସନ ପ୍ରସ୍ତୁତ କରାଯାଇଛି। ଏହା ମାଧ୍ୟମରେ ପିଲାମାନେ ନିୟମିତ ସ୍କୁଲ ଆସୁଛନ୍ତି କି ନାହିଁ, ତାହାର ମେସେଜ ଅଭିଭାବକଙ୍କ ପାଖକୁ ସିଧାସଳଖ ପଠାଯାଇପାରୁଛି। ଏହି ଆପ୍ଲିକେସନ ବିଷୟରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି।
ହାଇସ୍କୁଲ ରୂପାନ୍ତରଣ କାର୍ୟ୍ୟକ୍ରମ ଅଧୀନରେ ସରକାରୀ ସ୍କୁଲଗୁଡ଼ିକୁ ସମ୍ପୂର୍ଣ୍ଣ ନୂଆ ରୂପ ଦିଆଯାଉଛି। ସ୍ମାର୍ଟ କ୍ଲାସ୍ରୁମ୍, ଇ-ଲାଇବ୍ରେରି, ଆଧୁନିକ ବିଜ୍ଞାନାଗାର, କମ୍ପ୍ୟୁଟର ଲ୍ୟାବ୍, ସ୍ୱଚ୍ଛ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, ଖେଳପଡ଼ିଆ ସହ କ୍ରୀଡ଼ା ଉପକରଣ ଏସବୁ ମିଶି ସ୍କୁଲର ଭିତ୍ତିଭୂମିକୁ ଏକ ନୂଆ ଉଚ୍ଚତାକୁ ନେଇପାରିବ। କେବଳ ଭିତ୍ତିଭୂମି ନୁହେଁ, ସ୍କୁଲର ସାମଗ୍ରିକ ପରିବେଶ, ପାଠ ପଢ଼ାଇବାର ଧାରାରେ ଉନ୍ନତି ସହ ପିଲାଙ୍କ ଭିତରେ ସ୍ୱପ୍ନ ଦେଖିବା ଏବଂ ସେ ସ୍ୱପ୍ନକୁ ସାକାର କରିବା ପାଇଁ ଇଚ୍ଛାଶକ୍ତି ସୃଷ୍ଟି କରିବା ଏହି ରୂପାନ୍ତରଣ କାର୍ୟ୍ୟକ୍ରମର ଲକ୍ଷ୍ୟ।