ବିଧାନସଭାରେ ପାରିତ ହେଲା ମ୍ୟୁନିସିପାଲ ଆଇନ୍‌

ଭୁବନେଶ୍ୱର : ବିଧାନସଭାରେ ଆଗତ ହୋଇଛି ଓଡିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍-୨୦୨୧। ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ବିଲ୍ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ। ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ । ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ଵ୍ୟଵସ୍ଥା ରହିବ। ପଛୁଆ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାରେ ଯାହା ଲାଗୁ ହେବ ତାହା ପ୍ରାଧିକୃତ ଅଧିକାରୀ କାର୍ୟ୍ୟକାରୀ କରିବେ। ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଏସ୍ସି, ଏସ୍ଟିଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ହେବା ପରେ ଅବଶିଷ୍ଟ ଆସନଗୁଡିକ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ କରାଯିବ। କିନ୍ତୁ ତାହା ୨୭ ଭିତରେ ରହିବ। ଯେଉଁଠି ପେଶା ଆଇନ କାର୍ୟ୍ୟକାରୀ ହେଉଛି କିମ୍ବା ସିଡ୍ୟୁଲ ଏରିଆରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବନାହିଁ। ଏ ବିଲ୍ ବିଧାନସଭାରେ ପାରିତ ହେଲେ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିବ। ଅନ୍ୟପକ୍ଷରେ ଓଡ଼ିଶା ପୌର ବିଧି ସଂଶୋଧନ ବିଧେୟକ ଗତକାଲି ଗୃହରେ ଉପସ୍ଥାପିତ ହୋଇଛି ।