ବଲାଙ୍ଗିର : ବିଧାନସଭାର ମୌସୁମି ଅଧିବେଶନରେ ଚାଷୀକୁ ନେଇ ହୋହାଲ୍ଲା । ଗୋଟିଏ ଦିନରେ ମରୁଡିକୁ ନେଇ ପ୍ରଶ୍ନ ଉତ୍ତରର ଖେଳ । ଏହି ସବୁ ଘଟଣା ଗୋଟିଏ ଦିନ ନଯାଉଣୁ ୪ ତାରିଖ ଦିନ ବଲାଙ୍ଗିରରେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଚାଷୀ ସୋମବାର ଦିନ ଆତ୍ମହତ୍ୟା କରିଛନ୍ତି । କିଛି ଦିନ ପୂର୍ବେ ଜିଲ୍ଲାର ରେଚକା ବନ୍ଛୋର ନାମକ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ଏବେ ଆଉ ଜଣେ ଚାଷୀ ଜୀବନ ହାରିଛନ୍ତି। ମୃତକ ହେଲେ ପାଟଣାଗଡ଼ ଭାଲୁଜୁରୀ ଗାଁର ଚାଷୀ ଯୁଧିଷ୍ଠିର ଭୋଇ। ଯୁଧିଷ୍ଠିର ଜଣେ ଭାଗ ଚାଷୀ ହୋଇଥିବା ବେଳେ ଚାଷରେ ହୋଇଥିବା କ୍ଷତି ପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି ।
ସୂଚନାଯୋଗ୍ୟ କିଛି ଦିନ ପୂର୍ବେ ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଳକ୍ କାଦୋବେରା ଗାଁର ରେଚକା ବନ୍ଛୋର ନାମକ ଚାଷୀଙ୍କ ମୃତ୍ୟୁ ହୋଇଥିଲା। ସେ ଜମିରୁ ଫେରିବା ପରେ ଘରେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏନେଇ ମୃତ ଯୁଧିଷ୍ଠିରଙ୍କ ଭାଇ କହିଛନ୍ତି, ଭାଇ ଧାର ଉଧାର କରି ୫ ଏକର ଜମି ଭାଗ ଚାଷ କରିଥିଲେ । ପାଣି ଅଭାବରୁ ଚାଷରେ ପ୍ରବଳ କ୍ଷତି ହୋଇଥିଲା। ତେଣୁ ଶନିବାର ସେ ବିଷ ପିଇ ଦେଇଥିଲେ। ଭୀମଭୋଇ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ବିଧାନସଭାର ମୌସୁମି ଅଧିବେଶନର ଦ୍ୱିତୀୟ ଦିନରେ ମରୁଡି ଓ ଚାଷୀ ପ୍ରସଙ୍ଗ ବିଧାନସଭାରୁ ଉଭାନ ହୋଇଯାଇଛି । ମରୁଡି ଚାଷଜମିରୁ ଆସି ବିଧାନସଭାରେ ପହଞ୍ଚିିଛି । ମରୁଡି ଚାଷିପାଖରୁ ଆସି ବିଧାୟକଙ୍କ ପାଖରେ ପହଞ୍ଚିଛି ।