ଅଳିଆଗଦାରୁ ଶିଶୁପୁତ୍ର ଉଦ୍ଧାର

ବଲାଙ୍ଗୀର: ବାରମ୍ବାର ନବଜାତ ଶିଶୁଙ୍କୁ ଅବହେଳିତ ଅବସ୍ଥାରେ ଉଦ୍ଧାର କରାଯାଉଛି । କଅଁଳ ଶିଶୁ ମାନଙ୍କୁ କେବେ ବ୍ୟାଗ ତ କେବେ ମୁଣି ଭିତରେ ପୁରାଇ ରାସ୍ତା କଡରେ ପିଙ୍ଗି ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ସେହିଭଳି ଏକ ଘଟଣା ଆଜି ବଲାଙ୍ଗୀର ଜିଲ୍ଲାରେ ଘଟିଯାଇଛି ଯାହା ମାନବିକତା ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲୋକଙ୍କ ପାଇଁ ଅଲୋଡା ହୋଇପଡିଛି ନବଜାତ ଶିଶୁପୁତ୍ର । ଯେଉଁଥିପାଇଁ ଆଜି ତାକୁ ଘର କି ଡାକ୍ତରଖାନା ନୁହେଁ ବରଂ ବ୍ରିଜ ତଳ ଅଳିଆଗଦାରୁ ଉଦ୍ଧାର କରାଯାଇଛି ।
ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା ସାମନାକୁ ଆସିଛି ବଲାଙ୍ଗୀର ଜିଲ୍ଲା ରେଲୱେ ଷ୍ଟେସନ ରାସ୍ତା ନିକଟରେ । ସ୍ଥାନୀୟ ତେଲିଗୋଠପଡା ଓଭରବ୍ରିଜ ତଳ ଅଳିଆଗଦାରୁ ଜଣେ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି ଜଣେ ଶ୍ରମିକ । ଏଠାକୁ କିଛି ଶ୍ରମିକ କାମ କରିବାକୁ ଆସିଥିବା ବେଳେ ବୁଦା ଭିତରୁ ଏକ ଶିଶୁ କାନ୍ଦୁଥିବାର ଶୁଣିବାକୁ ପାଇଥିଲେ । ସେଠାରେ ଥିବା ଜଣେ ମହିଳା ବ୍ରିଜ ତଳକୁ ଯାଇ ଅଳିଆଗଦାରୁ ଶିଶୁଟିକୁ ଉଦ୍ଧାର କରିଥିଲେ । ତେବେ ଶିଶୁଟିର ଅବସ୍ଥା ଦେଖିଲେ ମଣିଷର ମଣିଷତ୍ୱ ଉପରେ କଳଙ୍କ ବୋଳି ହେବା ପରି ଅନୁଭବ ହେଉଛି । କମ୍ବଳ ଘୋଡାଇ ହୋଇ ଏକ ପରିତ୍ୟକ୍ତ ସ୍ଥାନରେ ପଲିଥିନ ବ୍ୟାଗ ଭିତରେ ଶିଶୁପୁତ୍ରଟି ପଡିଥିଲା । ଏହାପରେ ମହିଳା ଜଣକ ଶିଶୁଟିକୁ ଉଦ୍ଧାର କରି ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ପିଲାଟିର ସ୍ୱସ୍ଥ୍ୟବସ୍ଥା ଭଲ ଥିବା ବେଳେ ବୁଦା ଭିତରେ ପିମ୍ପୁଡି କାମୁଡିଥିବାରୁ ଦେହର କିଛି ସ୍ଥାନରେ କ୍ଷତ ଚିହ୍ନ ଥିବା ଡାକ୍ତର କହିଛନ୍ତି । ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ଶିଶୁ ପୁତ୍ରଟିର ଚିକିତ୍ସା କରାଯାଉଥିବା ବେଳେ ଚିକିତ୍ସା ପରେ ଚାଇଲ୍ଡଲାଇନକୁ ଶିଶିୁପୁତ୍ରଟିକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।