ସନ୍ଦେହ ଜନକ ଭାବରେ ଯୁବକଙ୍କ ମୃତଦେହ ଉଦ୍ଧାର

ଗୋପ(ଜୟନ୍ତ କୁମାର ସେଠୀ): କୋଣାର୍କ ଚନ୍ଦ୍ର ଭାଗା କଇଁଛ ଘର ନିକଟରେ ସନ୍ଦେହ ଜନକ ଭାବେ ମିଳିଛି ଯୁବକଙ୍କ ମୃତଦେହ । ଝୁଲନ୍ତା ଅବସ୍ଥାରେ ମୃତକଙ୍କ ଶବ ଉଦ୍ଧାର କରିଛି କୋଣାର୍କ ପୋଲିସ । ମୃତ ଯୁବକ ଜଣକ ହେଉଛନ୍ତି ପିପିଲି ମଙ୍ଗଳପୁର ଅଞ୍ଚଳର ଆଦିତ୍ୟ ନାରାୟଣ ପଣ୍ଡା । ଗତ ୨୭ ତାରିଖରେ ଖୋର୍ଦ୍ଧା ବରୁଣେଇକୁ ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇ ଘରକୁ ଫେରି ନ ଥିଲେ ଆଦିତ୍ୟ । ଏ ନେଇ ପରିବାର ପକ୍ଷରୁ ପିପିଲି ଥାନାରେ ଅଭିଯୋଗ କରାଯାଇଥିବା ବେଳେ ଆଜି କୋଣାର୍କ ଜଙ୍ଗଲରେ ଆଦିତ୍ୟଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି ।