କୋଇଲା ମାଫିଆଙ୍କ ଆକ୍ରମଣରେ ଦୁଇ ଆରପିଏଫ କର୍ମୀ ଗୁରୁତର

(ରିପୋଟର୍ସ ଟୁଡେ): କୋଇଲା ଚୋରି ରୋକିବାକୁ ଯାଇ ଆକ୍ରମଣର ଶିକାର ହେଲେ ଆରପିଏଫ କର୍ମୀ। ତଦନ୍ତ କରିବାକୁ ଯାଇଥିବା ଆରପିଏଫ କର୍ମୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ କଲେ କୋଇଲା ମାଫିଆ। ଏଥିରେ ୨ ଆରପିଏଫ କର୍ମୀ ଗୁରୁତର ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଭଦ୍ରକ ଧାମରା ସ୍ଥିତ ନାଲଗୁଣ୍ଡା ପାଳଶପୁରରେ ଘଟିଛି ଏଭଳି ଘଟଣା।ସୂଚନା ମୁତାବକ, ଧାମରାରୁ ଟ୍ରେନରେ ଆସୁଧିବା କୋଇଲା ଚୋରା ଚାଲାଣ ହେଉଥିବା ଖବର ମିଳିଥିଲା। ଏହି ଚୋରା କୋଇଲାକୁ ସ୍ଥାନୀୟ ଲୋକେ ବେଆଇନ ଇଟା ଭାଟିରେ ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଖବର ପାଇ ଖୋର୍ଦ୍ଧା ଡିଭିଜନର ଆରପିଏଫ କ୍ରାଇମ ବ୍ରାଞ୍ଚର ୮ ଜଣିଆ ଟିମ୍ ନାଲଗୁଣ୍ଡାର ପଳାଶପୁରରେ ମିଳିତ ଭାବେ ଚଢ଼ାଉ କରିଥିଲା। ଏଥିସହ ଇଟା ଭାଟିରୁ ବେଆଇନ କୋଇଲା ମଧ୍ୟ ଜବତ କରିଥିଲେ।ତେବେ ଏହି ସମୟରେ ହଠାତ୍ ୨୦ରୁ ୩୦ ଲୋକେ ସଙ୍ଘବଦ୍ଧ ଭାବେ ଆରପିଏଫ୍ ଟିମ ଉପରେ ଆକ୍ରମଣ କରିଥିଲେ। ଏଥିରେ ୨ ଆରପିଏଫ କର୍ମୀ ମୁକେଶ କୁମାର ଓ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଗୁରୁତର ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଛି। ଆରପିଏଫଙ୍କୁ ଆକ୍ରମଣ ଘଟଣାରେ ଚାନ୍ଦବାଲି ପୁଲିସ ତଦନ୍ତ ଜାରି ରଖିଛି।