(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ସମାଜ ସେବା କ୍ଷେତ୍ରରେ ୨୦୦୪ ମସିହାରୁ ପ୍ରତିବଦ୍ଧତା ଓ ନିଷ୍ଠା ସହ କାର୍ୟ୍ୟ କରୁଥିବା ତ୍ରିରଙ୍ଗା ସେବା ସଙ୍ଘକୁ “ସେବା ସମ୍ମାନ’ରେ ସମ୍ମାନିତ କରାଯାଇଛି । ଗୋପବନ୍ଧୁଙ୍କ ବାକ୍ୟ “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ’ ଓ ବିବେକାନନ୍ଦଙ୍କ ଆଦର୍ଶକୁ ମାନି ସେବା, ତ୍ୟାଗ, ନିଃସ୍ୱାର୍ଥପରତା ଦିଗରେ ଦୀର୍ଘ ୧୬ ବର୍ଷ ଧରି ହିଂଜିକାଟୁ ଓ ତାହାର ଆଖ ପାଖ ଅଞ୍ଚଳରେ ବିଭିନ୍ନ ଗଠନ ମୂଳକ କାର୍ଯ୍ୟ କରିଆସୁଛି । ଯେପରିକି ରକ୍ତଦାନ, ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ଶିବିର, ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ଆଦି ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନକୁ ସଂଘ ଏଯାଏ ଜାରି ରଖିଛି । ଏଣୁ “ତ୍ରିରଙ୍ଗା ସେବା ସଂଘ’କୁ ଜଗତସିଂହପୁର ତୀର୍ତ୍ତୋଲ ଠାରେ “ସଂକଳ୍ପ ସ୍ବେଛାସେବୀ ସଂଗଠନ ” ତରଫରୁ ସେବା ସମ୍ମାନରେ ସମ୍ମାନିତ କରାଯାଇଛି ।
ଏହି କାର୍ୟ୍ୟକ୍ରମରେ ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ, ଜନପ୍ରିୟ କବି ଡ଼. ଶୁଭ କୁମାର ଦାସଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସେବା କ୍ଷେତ୍ରରେ ଉତ୍କୃଷ୍ଟ ସେବା ପ୍ରଦାନ କରୁଥିବା ସଙ୍ଘ ମାନଙ୍କୁ ସମ୍ମାନିତ କରିଥିଲେ। ତ୍ରିରଙ୍ଗା ସେବା ସଙ୍ଘର ସଭାପତି ରଂଜନ କୁମାର ସାହୁ ଓ ସଂଯୋଜକ ନିଳାଞ୍ଚଳ ମୁନୀ ଓ ଶିବରାମ ବେହେରା ଏହି ସେବା ସମ୍ମାନକୁ ଗ୍ରହଣ କରିଥିଲେ। ଏହି ସମ୍ମାନ ସଙ୍ଘର ପ୍ରତିଟି ସଦସ୍ୟ ଙ୍କ ମନରେ ସମାଜ ସେବା କ୍ଷେତ୍ରରେ କାର୍ୟ୍ୟ କରିବା ପାଇଁ ନୂତନ ଉତ୍ସାହ ଓ ପ୍ରେରଣା ପ୍ରଦାନ କରିବ ବୋଲି ସଙ୍ଘ ସଭାପତି ମତ ରଖିଥିଲେ । ହିଂଜିଲିକାଟୁ ଅଂଚଳର ଏକ ସାମାଜିକ ଅନୁଷ୍ଠାନକୁ ଜଗତସିଂହପୁର ଜିଲ୍ଲାରେ ସମ୍ମାନ ପ୍ରାପ୍ତି ଅଂଚଳ ପାଇଁ ଖୁସିର ଲହରୀ ଆଣିଦେଇଛି ।