ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ

(ମନୋଜ କୁମାର ସାହୁ / ରାୟଗଡା): ଉତ୍କଳ ସାମ୍ବାଦିକ ସଂଘ ରାୟଗଡ ଶାଖା ତରଫରୁ ରାଜ୍ୟ ସ୍ତରୀୟ ସମ୍ମିଳନୀ ରାୟଗଡ ଅନ୍ତର୍ଗତ ପିତାମହଲ ସ୍ଥିତ ସେଞ୍ଚୁରିଆନ ବିଶ୍ବ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉକ୍ତ ବିଶ୍ଵ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରଯାଇଥିଲା । ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଅଧକ୍ଷତା ପ୍ରଥମେ ସ୍ଥାନୀୟ ଆଜାଦ ହିନ୍ଦ କଳାକାରଙ୍କ ଦ୍ୱାରା ପ୍ରାମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏହା ପରେ ରାୟଗଡ ଜିଲ୍ଲା ଶାଖାର ସମ୍ପାଦକ ରାଜେଶ ମହାନ୍ତି ସମ୍ପାଦକୀୟ ବିବରଣୀ ପଠନ କରିବା ସହ ବର୍ତ୍ତମାନ ପରିସ୍ଥିତିରେ ସାମ୍ବାଦିକ ମାନଙ୍କ ମୌଳିକ ସମସ୍ୟା ଉପରେ ଆଲୋକପାତ କରି ଏହାର ସମାଧାନ ଦିଗରେ ଦୃଷ୍ଟି ଦେବା ପାଇଁ ମଞ୍ଚାସିନ ଅତିଥିଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଲା ପରିଷଦ ଅଧକ୍ଷ ଗଙ୍ଗାଧର ପୁଆଲା ଯୋଗ ଦେଇ ସାମ୍ବାଦିକ ମାନେ କିଭଳି ନିଜ ଜୀବନକୁ ବାଜି ଲଗାଇ ଜନ ସଧାରଣଙ୍କ ଅସୁବିଧାକୁ ଲୋକ ଲୋଚନକୁ ଆଣିପାରୁଛନ୍ତି ସେ ନେଇ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇ ଆୟୋଜିତ କାର୍ୟ୍ୟକ୍ରମକୁ ପ୍ରଶଂସା କରିଥିଲେ । ଉକ୍ତ ସଭାରେ ରାୟଗଡ ଶାଖା ସଭାପତି ସୁରେଶ ଚନ୍ଦ୍ର ଦାଶ ମଞ୍ଚାସିନ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟ ଶାଖା ସଭାପତି ବିଭୂତି ଭୂଷଣ କର ନିଜ ଅଭିଭାଷଣରେ ସାମ୍ବାଦିକ ସୁରକ୍ଷା ଆଇନ, ଅବସର କାଳୀନ ଭତ୍ତା, ସମୁଚିତ ଅଧି ସ୍ୱୀକୃତି ପ୍ରଦାନ, ପ୍ରେସ ଏକାଡେମି ଗଠନ ଓ ସ୍ବାସ୍ଥ୍ୟ ବୀମା ରାଶି ବୃଦ୍ଧି ନିମନ୍ତେ ଓଡିଶା ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ଓଡିଶାର ୨୨ଟି ଜିଲ୍ଲାରୁ ଉତ୍କଳ ସାମ୍ବାଦିକ ସଙ୍ଘର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମିଳନୀରେ ଉପସ୍ଥିତ ସଙ୍ଘର ୨୨ଟି ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିବା ସହ ରାୟଗଡ ଜିଲ୍ଲାର ଦଶମ ଶ୍ରେଣୀ ଓ ଦ୍ୱାଦଶ ପରୀକ୍ଷାରେ ଉତ୍ତମ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ଏହା ସହ ରାୟଗଡ ଜିଲ୍ଲାରେ ଥିବା ତିନୋଟି ପ୍ରମୁଖ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ, ଜେ. କେ. ପେପର ଲିମିଟେଡ଼ ଓ ଇମ୍ଫା ଲିମିଟେଡ଼ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ଓ ସମାଜସେବୀ ଅନୁସୟା ମାଝୀ, ଗୋପୀନାଥ ପାଢ଼ୀ ଓ ମଂଜୁଳ ମିଣିଆକାଙ୍କୁ ମଧ୍ୟ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ଉକ୍ତ ସମ୍ମିଳନୀକୁ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଦୟାନନ୍ଦ ଖାଡାଙ୍ଗା ମଞ୍ଚ ପରିଚାଳନା କରିଥିଲେ ।