ପଶୁ ହତ୍ୟାର ବର୍ବର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ଆପଣ ଜାଣନ୍ତି କୁମ୍ଭୀର ମଣିଷକୁ ଖାଇ ଥାଏ । ଏଭଳି ଘଟଣା ଅନେକ ଥର ଆପଣମାନଙ୍କ ସମ୍ନାକୁ ଆସିଛି । ନଦୀରେ ଗାଧୋଇଲା ବେଳେ ହେଉ କି କୁମ୍ଭୀର ଦେଖିବା ପାଇଁ ବୁଲିବାକୁ ଗଲାବେଳେ ହେଉ କିମ୍ବା ନଦୀ ଭିତରୁ ଲୋକଙ୍କୁ କୁମ୍ଭୀର ଟାଣି ନେଇ ତାର ଆହାର ବନେଇଛି । ଏଭଳି ଖବର ଆମ ପାଖକୁ ଅନେକ ବାର ଆସିଛି । କିନ୍ତୁ କୁମ୍ଭୀରକୁ ନେଇ ଆମ ପାଖରେ ଏମିତି ଏକ ଖବର ଆସିଛି ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ । ଆପଣଙ୍କର ଲୋମ ଟାଙ୍କୁରି ଉଠିବ । ସେହି ଘଟଣାଟି ହେଉଛି ରାଜ୍ୟ ଭିତରେ ଏକ ଗାଁ ଅଛି ଯେୁଉଁଠି କୁମ୍ଭୀରକୁ ମାରି ଲୋକ ନିଜର ଆହାର ବନେଇଛନ୍ତି ।

ନଦୀରୁ ଆଣିବା ପରେ ପୁରା ଗାଁ ୧୦ ଫୁଟର କୁମ୍ବୀରକୁ କାଟି ଭାଗ ଭାଗ କରି ବାଣ୍ଟି ନେଇଛନ୍ତି ବୋଲି ସୂଚନା ମିଳିଛି । ଖାଲି ସେତିକି ନୁହେଁ ଉକ୍ତ କାର୍ୟ୍ୟରେ ଲିପ୍ତ ଥିବା ଲୋକେ ସେହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଏଭଳି ଏକ ଘଟଣା ଘଟିଛି ମାଲକାନାଗିରି ଜିଲ୍ଲା ପଡିଆ ବ୍ଳକର କାଲଦାପଲ୍ଲୀ ଅଞ୍ଚଳରେ । ସେପଟେ ଏନେଇ ଚୁପ ବସିଛି ବନ ବିଭାଗ ।
ସୂଚନା ଅନୁଯାୟୀ, ଶାବେରୀ ନଦୀରୁ ଲୋକେ ଏକ କୁମ୍ଭୀର ଉଦ୍ଧାର କରି ଆଣିଥିଲେ । କୁମ୍ଭୀରର ଲମ୍ଭ ପ୍ରାୟ ୧୦ ଫୁଟ ହେବ । ଉଦ୍ଧାର କରି ଆଣିବା ପରେ କୁମ୍ଭୀର ଟିକୁ ଏକ ତେନ୍ତୁଳି ଗଛରେ ବାନ୍ଧି ଦେଇଥିଲେ । ଏହା ପରେ କୁମ୍ଭୀରଟିକୁ ଦେଖିବା ପାଇଁ ବହୁତ ଲୋକଙ୍କର ଭିଡ଼ ଜମିଥିଲା । ଏହା ପରେ ନଦୀରୁ ଧରିଆଣିଥିବା କୁମ୍ଭୀରଟିର ପ୍ରଥମେ ନଖ କାଟିବା ପରେ ତାକୁ ହାଣି ଦେଇଥିଲେ । ଏହାପରେ କୁମ୍ଭୀରଟିକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାଗ ଭାଗ କରି ନେଇଯାଇଥିଲେ । ଏଥିସହ ସ୍ଥାନୀୟ ଲୋକ ଏହି ସବୁ ଘଟଣାକୁ କ୍ୟାମେରାରେ କଏଦ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ମଧ୍ୟ କରିଛନ୍ତି ।ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଯିବାର ୨୪ ଘଣ୍ଟା ରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ବନବିଭାଗର ହାତ ଖାଲି ରହିଛି । ଅନ୍ୟପଟେ ଏ ସମ୍ପର୍କରେ କାଲିମେଳା ରେଞ୍ଜରଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଖବର ପାଇ ନାହାନ୍ତି ଏବଂ ସ୍ଥାନୀୟ ଲୋକ ଏନେଇ କୌଣସି ତଥ୍ୟ ଦେଉନାହାନ୍ତି ବୋଲି କହିଛନ୍ତି ।