(ରିପୋଟର୍ସ ଟୁଡେ): ମୁଖ୍ୟମନ୍ତ୍ରୀ ଆଜି ତିନୋଟି ଜିଲ୍ଲାର ବନ୍ୟା ପରିସ୍ଥିତିର ସମୀକ୍ଷା ବୈଠକ କରିଛନ୍ତି । ଗଂଜାମ, ଗଜପତି ଓ ରାୟଗଡ଼ାରେ ଦେଖାଦେଇଥିବା ବନ୍ୟା ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ଭିଡ଼ିଓ କନ୍ଫରେସିଂ ଜରିଆରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ଏୟାର ଲିଫ୍ଟର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳମାନେ ଜଣାଇଛନ୍ତି ।ତେବେ ପ୍ରଭାବିତଙ୍କୁ ଅଞ୍ଚଳରେ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ । ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଲୋକମାନଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଛି । ସେହିଭଳି ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବିଶାଖାପାଟଣାରୁ ଉଦ୍ଧାର କାର୍ଯ୍ୟ ପାଇଁ ୨ଟି ହେଲିକପ୍ଟର ଆସୁଛି । ଅନ୍ୟପଟେ ଲଗାଣ ବର୍ଷାରେ ପ୍ରଭାବିତ ହୋଇଥିବା ସଂପୃକ୍ତ ଜିଲ୍ଲା ଗୁଡ଼ିକର କ୍ଷୟକ୍ଷତିର ଆକଳନ ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ଗଞ୍ଜାମ, ଛତ୍ରପୁର, ପୁରୁଷୋତ୍ତମପୁର ପ୍ରଭାବତି ହୋଇଛି । ତେଣୁ ହେଲିକପ୍ଟର ସହାୟତା ଲୋଡ଼ିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସେହିଭଳି ରାୟଗଡ଼ାରେ ଅନେକ ସ୍ଥାନରେ ଗଛ ପଡ଼ି ଯୋଗାଯୋଗ ବିଛିନ୍ନ ହୋଇଛି । ତେଣୁ ତୁରନ୍ତ ଅଧିକ ଉଦ୍ଧାରକାରୀ ଦଳ ପଠାଇବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଏବଂ ମାଗଣାରେ ଔଷଧ ଯୋଗାଇଦେବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।