କୌଣସି ଜଜ୍ କାର୍ଯ୍ୟ ଦିବସରେ ନେଇପାରିବେନି ଛୁଟି: ଜଷ୍ଟିସ ଗୋଗାଇ

( ସଂଜୁକ୍ତା ବେହେରା): ସୁପ୍ରିମ କୋର୍ଟ ମୂଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗାଇ ଦେଶର ବିଭିନ୍ନ କୋର୍ଟରେ ପଡିଥିବା ଲକ୍ଷ୍ୟାଧିକ ମାମଲାର ବୋଝକୁ କମ କରିବା ପାଇଁ ଏକ ନୂଆ ଉପାୟ ଅବଲମ୍ବନ କରିଛନ୍ତି । କୌଣସି ଜଜ୍ ଏଣିକି କାର୍ଯ୍ୟ ଦିବସ ସମୟରେ ଛୁଟିରେ ରହିପାରିବେନି ବୋଲି କହିଛନ୍ତି ଜଷ୍ଟିସ ଗୋଗାଇ । ନ୍ୟାୟପାଳିକାରେ ତ୍ରିସ୍ତରୀୟ ବ୍ୟବସ୍ଥାରେ ଅନେକ ଲମ୍ବା ମାମଲା ନ୍ୟାୟ ଦେବାରେ ପ୍ରତିବନ୍ଧକ ସାଜୁଛି । ଫଳରେ ନ୍ୟାୟ ପାଇଁ ଲୋକଙ୍କୁ ଅନେକ ଦିନ ଅପେକ୍ଷା କରିବାକୁ ପଡୁଛି । ଅକ୍ଟୋବର ୩ରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିବା ଜଷ୍ଟିସ ଗୋଗାଇ ମାମଲାର ବୋଝ ହାଲକା କରିବା ପାଇଁ ସଙ୍କେତ ଦେଇଥିଲେ । ଏହାର ଠିକ୍ ଗୋଟିଏ ସପ୍ତାହ ପରେ ସେ ଦେଶର ସମସ୍ତ ହାଇକୋର୍ଟ କଲେଜିୟମ ସଦସ୍୍ୟଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏପରିକି ଭିଡିଓ କନଫରେନ୍ସିଂ ଜରିଆରେ ଦୀର୍ଘ ଦିନ ଧରି ଚାଲୁଥିବା ମାମଲାର ଶୁଣାଣୀ କରିବା ପାଇଁ ସେ ଜୋର ଦେଇ କହିଥିଲେ । ଜଷ୍ଟିସ ଗୋଗାଇ ସିଧାସଳଖ ଭାବେ ଜରୁରୀକାଳୀନ ପରସ୍ଥିତି ଛଡା କୌଣସି ହାଇକୋର୍ଟ କିମ୍ବା ତଳ କୋର୍ଟର କୌଣସି ଜଜ ନିଜର କାର୍ଯ୍ୟ ଦିବସରେ ଛୁଟି ନେଇପାରିବେ ନାହିଁ ବୋଲି ମନା କରିଦେଇଛନ୍ତି । ଏହା ସହ ଏହି ସମୟରେ କୌଣସି ବି ସେମିନାରରେ ଯୋଗ ଦେବା ଆବଶ୍୍ୟକ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।